ଆନ୍ଧ୍ରରେ ତିତଲିର ତାଣ୍ଡବ, ୮ ଜଣଙ୍କ ମୃତ୍ୟୁ

0
252

ଭୁବନେଶ୍ଵର : ବାତ୍ୟା ତିତଲି ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ରୂପ ଧରି ତାଣ୍ଡବ ରଚିଛି । ସଂପୂର୍ଣ୍ଣ କ୍ଷୟକ୍ଷତି ଜଣାପଡିନଥିଲେ ହେଁ ଶ୍ରୀକାକୁଲମ ଓ ବିଜୟନଗରମରେ ୮ ଜଣଙ୍କର ମୃତ୍ୟୁ ଘଟିଛି ।

ବାତ୍ୟା ତିତଲି ଓଡିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରଭାବିତ କରିଥିବା ବେଳେ ଆନ୍ଧ୍ରପ୍ରଦେଶରେ ବିପୁଳ କ୍ଷତି ଘଟାଇଛି । ବାତ୍ୟା ପ୍ରଭାବରେ ଜାରିରହିଛି ପ୍ରବଳ ବର୍ଷା ଓ ପବନ । ଶ୍ରୀକାକୁଲମ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଶହ ଶହ ଘର ଭାଙ୍ଗିଯାଇଥିବା ବେଳେ ବିଜୁଳି ଖୁଣ୍ଟ ମଧ୍ୟ ନଷ୍ଟ ହୋଇଛି ।

ତିତଲି ପ୍ରଭାବରେ ଶ୍ରୀକାକୁଲମ ଓ ବିଜୟନଗରମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାଛଡା ରାସ୍ତାରେ ଗଛ ଗୁଡିକ ଭାଙ୍ଗି ପଡିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏପରିକି ଆନ୍ଧ୍ରର କିଛି ଷ୍ଟେସନ ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଟ୍ରାକରେ ଗଛ ଗୁଡିକ ଭାଙ୍ଗି ପଡିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତିତଲି ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଥିବାରୁ ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି ।

ତିତଲି ବାତ୍ୟାର କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ବାତ୍ୟା ଯୋଗୁଁ ଓଡିଶା ଓ ଆନ୍ଧ୍ର ପ୍ରଦେଶର ପ୍ରଭାବିତ ପରିବାର ବିଶେଷକରି ପିଲାମାନଙ୍କ ପ୍ରତି ମୁଁ ସମ୍ବେଦନା ଜ୍ଞାପନ କରୁଛି । ମୋର ଦୃଢ ବିଶ୍ୱାସ ଯେ ସ୍ଥାନୀୟ ପ୍ରଶାସନ ଓ ରିଲିଫ୍ ସଂସ୍ଥା ଗୁଡିକ ତତ୍ପରତା ସହିତ ଲୋକମାନଙ୍କୁ ସାହାଯ୍ୟ କରିବେ । ସମଗ୍ର ଦେଶ ଆପଣଙ୍କ ସହିତ ଅଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here