ନିର୍ଯାତନା ଅଭିଯୋଗ ଆସିଲେ ତୁରନ୍ତ ବନ୍ଧା ହେବେ ସ୍ୱାମୀ : ସୁପ୍ରିମକୋର୍ଟ

0
171

ନୂଆଦିଲ୍ଲୀ : ଯୌତୁକ ନିର୍ଯ୍ୟାତନାରେ ବରପକ୍ଷକୁ ମିଳୁଥିବା ସୁରକ୍ଷାକବଚକୁ କାଢି ନିଆଯାଇଛି । ଯୌତୁକ ନିର୍ଯ୍ୟାତନା ଭଳି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ସ୍ୱାମୀ କିମ୍ବା ତା’ର ପରିବାର ଲୋକଙ୍କୁ ଗିରଫ କରିବ ପୋଲିସ । ଶୁକ୍ରବାର ଆଇସିପି ଧାରା ୪୯୮-ଏର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ତିନି ଜଣିଆ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ତଥା ଯୌତୁକ ନିର୍ଯ୍ୟାତନା ମାମଲାରେ ଗିରଫଦାରୀକୁ ନେଇ ଶୁଣାଣୀ କରିଛନ୍ତି । ଖଣ୍ଡପୀଠ ପୂର୍ବ ବେଞ୍ଚର ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି କି ପିଡ଼ୀତାଙ୍କ ସୁରକ୍ଷା ପାଇଁ ଅଭିଯୁକ୍ତଙ୍କ ଗିରଫ ଜରୁରୀ ଅଟେ । ଏଥିପାଇଁ କୌଣସି ପରିବାର କଲ୍ୟାଣ କମିଟିର ଆବଶ୍ୟକତା ନାହିଁ ।

ପୂର୍ବରୁ ଜୁଲାଇ ୨୭, ୨୦୧୭ରେ ସୁପ୍ରିମକୋର୍ଟର ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ଯୌତୁକ ନିର୍ଯ୍ୟାତନା ମାମଲାରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ଏବଂ ପ୍ରତି ଜିଲ୍ଲାରେ ପରିବାର କଲ୍ୟାଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମିଟି ପ୍ରଥମେ ମାମଲା ଉପରେ ଯାଞ୍ଚ କରିବେ ଏବଂ ପରେ ସଂପୃକ୍ତ ସ୍ୱାମୀ କିମ୍ବା ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଏ ନେଇ ଏକ ଗାଇଡ଼ଲାଇନ ମଧ୍ୟ ଜାରୀ କରିଥିଲେ ।

ଗତବର୍ଷ ଅକ୍ଟୋବର ୧୩ରେ ଏହି ମାମଲାର ଶୁଣାଣୀ କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ ପୂର୍ବ ବେଞ୍ଚ ଜାରି କରିଥିବା ଗାଇଡ଼୍‌ଲାଇନ୍‌ରେ ସେ ଏକମତ ନୁହଁନ୍ତି । ଏହା ଉପରେ ପୁନର୍ବାର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଖଣ୍ଡପୀଠ ଶୁଣାଣୀରେ କହିଥିଲେ ଯେ ଆମେ ନିୟମ ତିଆରି କରି ପାରିବା ନାହିଁ ବରଂ ଏହାର ବ୍ୟାଖ୍ୟା କରିପାରିବା । ଯଦି ଧାରା ୪୯୮-ଏର ଧାରାକୁ ଆମେ କୋହଳ କରିବା ତାହା ହେଲେ ମହିଳାଙ୍କ ଅଧିକାର ବିରୋଧରେ ଯିବା ।

LEAVE A REPLY

Please enter your comment!
Please enter your name here