ନୂଆଖାଇରେ ମା ସମଲେଇଙ୍କ ପାଖେ ଲାଗି ହେଲା ନବାନ୍ନ

0
91

ସମ୍ବଲପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଈଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ସେହିପରି ପଶ୍ଚିମ ଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ, ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହୋଇଛି । ଇଷ୍ଟଦେବୀଙ୍କ ନିକଟରେ ନବାହ୍ନ ଲାଗି ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି ।

ନିୟମ ଅନୁସାରେ, ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳିତ ହୋଇଥାଏ । ପର୍ବ ଦିନ ନୂଆ ଲୁଗା ପିନ୍ଧି କୃଷକ କ୍ଷେତକୁ ଯାଆନ୍ତି । କ୍ଷୀର, ଅରୁଆ ଚାଉଳ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ ସହ ଧରଣୀମାତା ଓ ମହାଲକ୍ଷ୍ମୀଙ୍କୁ ଯଥାରୀତି ପୂଜାର୍ଚ୍ଚନା କରିଥାନ୍ତି । ତାପରେ ନୂଆ ଫଳିଥିବା ଧାନକେଣ୍ଡା ଧରି ଘରକୁ ଫେରନ୍ତି । କେଣ୍ଡାରୁ ଧାନ ବାଛି ସଫା କରିବା ପରେ ସେଥିରେ ପଂଚାମୃତ ମିଶାଇ ଭୋଗ ପ୍ରସ୍ତୁତ ହୁଏ । ପ୍ରଥମେ ଦେବଦେବୀ ଓ ପିତୃପୁରୁଷଙ୍କୁ ଭୋଗ ଅର୍ପଣ କରାଯାଏ । ସମସ୍ତେ ଏକତ୍ର ବସନ୍ତି , ପରିବାରର ବରିଷ୍ଠ ବ୍ୟକ୍ତି ଭୋଗ ଭକ୍ଷଣ ପରେ ଅନ୍ୟମାନେ ଖାଇଥାନ୍ତି । ଭୋଗ ସାଙ୍ଗକୁ ପିଠା, ମିଠା, ଅନ୍ନବ୍ୟଞ୍ଜନ ଆଦି ସମସ୍ତେ ଖାଇଥାନ୍ତି । ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନିଅନ୍ତି । ଗାଁରେ ସମସ୍ତେ ସମସ୍ତଙ୍କ ଘରକୁ ଯାଇ କିମ୍ବା ମନ୍ଦିର ମଣ୍ଡପରେ ସମବେତ ହୋଇ ପରସ୍ପରକୁ ନୂଆଖାଇ ଜୁହାର ଜଣାନ୍ତି । ନୂଆଁଖାଇ ପାରସ୍ପରିକ ଭାବ ବିନିମୟ ଓ ମିଳନର ପର୍ବ । ଭିଟାମାଟି ଛାଡି ଅନ୍ୟତ୍ର ରହୁଥିବା ଲୋକଙ୍କ ପାଇଁ ନୂଆଖାଇରେ ଏକାଠି ହେବାର ସୁଯୋଗ ମିଳେ ।

LEAVE A REPLY

Please enter your comment!
Please enter your name here