ବାତ୍ୟା ବିପଦ ଟଳିଲା

0
424

ଭୁବନେଶ୍ୱର : ଓଡିଶା ପ୍ରତି ଦେଖାଦେଇଥିବା ବାତ୍ୟା ‘ତିତଲି’ ଆଜି ସକାଳେ ସ୍ଥଳ ଭାଗ ଛୁଇଁବା ପରେ ଏହି ବିପଦ ଟଳିଯାଇଛି । ବାତ୍ୟା ଏବେ ମୁହାଁଉଛି ପଶ୍ଚିମବଙ୍ଗ ଆଡକୁ । ହେଲେ ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ବର୍ଷା ଲାଗିରହିଛି । ଏହି ବର୍ଷା ଆହୁରି ୨୪ଘଣ୍ଟା ଜାରି ରହିବ ବୋଲି ସୂଚନା ମିଳିଛି । ତେବେ ଉତ୍ତର ଓଡ଼ିଶା ପ୍ରତି ବିପଦ ରହିଛି । କାରଣ ତିତଲି ସେହି ବାଟ ଦେଇ ପଶ୍ଚିମବଙ୍ଗ ଆଡକୁ ଯାଉଥିବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବାଲେଶ୍ୱର,ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ସହିତ ପବନ ବହିବ। ଏସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ଗୁରୁବାର ସକାଳ ବାତ୍ୟା ‘ତିତ୍‌ଲି’ ଗୋପାଳପୁରର ଦକ୍ଷିଣ-ପଶ୍ଚିମ ପଲାସା ନିକଟରେ ସ୍ଥଳଭାଗ ଛୁଇଁ ଥିଲା । ବାତ୍ୟା ‘ତିତ୍‌ଲି’ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା। ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଗୋପାଳପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ବଡ଼ ବଡ଼ ଜୁଆର ଆସୁଛି। ଏବେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଛି। ପବନ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗଛ ଉପୁଡ଼ି ପଡ଼ିଥିବା ଯୋଗୁ ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଛି।

ପୂର୍ବ ସୂଚନା ମୁତାବକ ଯେଉଁ ଯେଉଁ ଜିଲ୍ଲା ଦେଇ ‘ତିତ୍‌ଲି’ ଅତିକ୍ରମ କରିବ ସେହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବ। ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଥିଲା। ଏଠାରେ ପ୍ରବଳ ବର୍ଷା ହେବ।

 

LEAVE A REPLY

Please enter your comment!
Please enter your name here