ହନିଟ୍ରାପ୍‌ରେ ଫସାଇ ଗୁପ୍ତ ତଥ୍ୟ ନେଉଥିଲେ ରହସ୍ୟମୟୀ

ଭୁବନେଶ୍ୱର : ହନିଟ୍ରାପ୍‌ରେ ଫସାଇ ଚାନ୍ଦିପୁର ଡିଆରଡିଓର ୫ଜଣ ଠିକ କର୍ମଚାରୀଙ୍କଠାରୁ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ନେଇଥିଲେ ରହସ୍ୟମୟୀ ମହିଳା। ବିବାହ ପାଇଁ ଦେଉଥିଲେ ଅଫର। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚକୁ ଏହି ଚାଞ୍ଚଲ୍ୟକର ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ରହସ୍ୟମୟୀ ମହିଳାଜଣକ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ଅଭିଯୁକ୍ତମାନଙ୍କ ସହିତ କଥା ହେଉଥିଲେ। କାହାକୁ ବ୍ରିଟେନ ଲିଭରପୁଲରେ ଓ ଆଉ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲେ। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ଓ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା ଦେଉଥିଲେ ପରିଚୟ। ମିଜାଇଲ ଉପରେ ତାଙ୍କର ଆଗ୍ରହ ଥିବା ସମସ୍ତଙ୍କୁ କହୁଥିଲେ। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଗିରଫ ୫ ଅଭିଯୁକ୍ତମାନେ ସମ୍ପର୍କ ନେଇ ଜାଣିପାରିନଥିଲେ।

ସେହି ମହିଳା ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର ଜରିଆରେ କଲ୍ କରି ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲେ। କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇଥିଲେ। ସମ୍ପୃକ୍ତ ମହିଳାଙ୍କ ଦୁବାଇ ଆକାଉଣ୍ଟରୁ ଜଣଙ୍କ ଆକାଉଣ୍ଟକୁ ୩୮ ହଜାର ଟଙ୍କା ଆସିଛି। ହେଲେ ଦୀର୍ଘ ଦେଢ ବର୍ଷ ଧରି କେଉଁ ମାଧ୍ୟମ ଦେଇ ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କ୍ରାଇମବ୍ରାଞ୍ଚ ତାହାର ଖୋଳତାଡ଼ କରୁଛି। ମହିଳାଙ୍କ ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚର ପ୍ରଚେଷ୍ଟା ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି। ରହସ୍ୟମୟୀଙ୍କ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ତାହାର ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତମାନଙ୍କୁ ଏୟାରଫୋର୍ସ ଅଧିକାରୀ ଜେରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button