ବଡକାଣିଝର ଡ୍ୟାମ ନାହିଁ ତ ଭୋଟ୍‌ ନାହିଁ

କେନ୍ଦୁଝର : ବଡକାଣିଝର ଡ୍ୟାମ ଦାବିରେ ଗର୍ଜିଲେ ହରିଚନ୍ଦନପୁର ବ୍ଲକ୍‌ ୩ଟି ପଞ୍ଚାୟତର ଶହଶହ ଚାଷୀ। ଜିଲ୍ଲା ସଦର ମହକୁମାରେ କଲେ ଶୋଭାଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର। ଆଉ ସ୍ପଷ୍ଟ କରିଛନ୍ତି ‘ବଡକାଣିଝର ଡ୍ୟାମ ନାହିଁ ତ, ୨୦୨୪ରେ ଭୋଟ୍‌ ନାହିଁ।’

ଖବର ଅନୁଯାୟୀ ୧୯୯୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଖେଡିଆଡିହା ନାଳରେ ବଡକାଣିଝର ଡ୍ୟାମ ନିର୍ମାଣ ହେବ। ହରିଚନ୍ଦନପୁର ବ୍ଲକ୍‌ର ତେନ୍ତଳାପଶି, ହୁଣ୍ଡା ଓ ଜୁଙ୍ଗାର ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମିକୁ ଯୋଗାଇ ଦିଆଯିବ ପାଣି। ହେଲେ ଡ୍ୟାମ୍‌ ନିର୍ମାଣ ନହେବାରୁ ୩ଟି ପଞ୍ଚାୟତର ଲୋକେ ୨୦୦୦ ମସିହାରେ ଭୋଟ ବର୍ଜନ କରିବାରୁ ତତ୍‌କାଳୀନ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ଖୁବ୍‌ଶୀଘ୍ର ଡ୍ୟାମ୍‌ ନିର୍ମାଣ ହେବ। ଇତି ମଧ୍ୟରେ ୨୩ ବର୍ଷ ବିତିଯାଇଥିଲେ ମଧ୍ୟ ଡ୍ୟାମ୍‌ ନିର୍ମାଣ ନହେବାରୁ ଅସନ୍ତୋଷ ପ୍ରକାଶ ପାଉଛି।

କେବଳ ସେତିକି ନୁହେଁ ପାଣି ପାଇଁ ୩ଟି ପଞ୍ଚାୟତର ଖୁଣ୍ଟବନ୍ଧ, ଗୋପିନାଥପୁର, ମିଶ୍ରମାଳ, ହାତୀନୋଟା, ଦଧିବାମନପୁର, ଧନୁର୍ଯୟପୁର, ବଡକମଣ୍ଡରା, ସାନକମଣ୍ଡରା, ହୁଣ୍ଡା ପଞ୍ଚାୟତର ବ୍ରାହ୍ମଣପଙ୍ଗା, ଝୁମୁକାପଶି, ଡୁମୁରିଆଡିହ, ଜୁଙ୍ଗା ଓ କାଳିମାଟି ଗାଁର ଚାଷୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ଷା ପାଣି ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଜମି ଚାଷ କରିବା ଓ ଫସଲ ବଞ୍ଚାଇବା ଅନେକ ସମୟରେ ସମ୍ଭବ ହେଉନି। ୫ଟି ସଚିବ ଭି.କେ ପାଣ୍ଡିଆନ୍‌ କେନ୍ଦୁଝର ଗସ୍ତରେ ଯାଇଥିବା ବେଳେ ସ୍ଥାନୀୟ ଲୋକ ଡ୍ୟାମ ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ହେଲେ ଜିଲ୍ଲାରେ ଅନ୍ୟ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ବଡକାଣିଝର ଡ୍ୟାମ କାମ ଆଗେଇଲାନି। ସେଥିପାଇଁ ସରକାରଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button