ରାଜ୍ୟରେ ମହିଳା ସୁରକ୍ଷା ବ୍ୟବସ୍ଥା କେବଳ ନୀଳ ରଙ୍ଗ ବୋର୍ଡରେ ସୀମିତ : ସୋନାଲି ସାହୁ

ଭୁବନେଶ୍ୱର : ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ଗତକାଲି ପ୍ରକାଶ ପାଇଥିବା ଏନ୍‌ସିଆର୍‌ବି ରିପୋର୍ଟରୁ ଏହି ସୂଚନା ମିଳିଛି। ତେଣୁ ରାଜ୍ୟ ସରକାର କେବଳ ନୀଳ ରଙ୍ଗର ବୋର୍ଡରେ ମହିଳା ସଶକ୍ତିକରଣ ବିଜ୍ଞାପନ ଦେଇ ନିଜର ଆତ୍ମପ୍ରଚାର ବନ୍ଦ କରନ୍ତୁ। ଏହି ଦାବି କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି।

ଖବର ଅନୁଯାୟୀ ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି। ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଏକ ଲକ୍ଷ ଲୋକରୁ ୩ଜଣ ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ହତ୍ୟାର ଶୀକାର ହେଉଛନ୍ତି। ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ଓ ମହିଳା ବିରୋଧୀ ଅପରାଧରେ ସପ୍ତମ ସ୍ଥାନରେ ରହିଛି। କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ। ବର୍ତ୍ତମାନ ପ୍ରତ୍ୟେକ ଦିନ ୧୨ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଥିଲାବେଳେ ବର୍ଷ ଶେଷରେ ମାତ୍ର ୧୨ଜଣ ଦଣ୍ଡିତ ହେଉଛନ୍ତି। ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ୨୦୨୦ରେ ୬ହଜାର ୩୩୦ ଶିଶୁ ବିରୋଧୀ ଅପରାଧ ଘଟିବା ସହିତ ଓଡିଶା ଦେଶରେ ପଂଚମ ସ୍ଥାନରେ ରହିଥିଲା। ୨୦୨୧ରେ ୭ହଜାର ୮୯୯ ଓ ୨୦୨୨ରେ ୮ହଜାର ୨୪୦ ଶିଶୁ ବିରୋଧୀ ଅପରାଧ ଘଟିଛି। ଏଥିରେ ଓଡିଶା ଷଷ୍ଠ ସ୍ଥାନରେ ପହଁଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀମତୀସୋନାଲି ସାହୁ କହିଛନ୍ତି।

ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ଦାୟୀ। ଦୀର୍ଘ ୨୪ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ରହିଆସିଛନ୍ତି। ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ ଉକ୍ତ ବିଭାଗ ଜନସାଧରଣଙ୍କ ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛି। ବେଶୀ ଦୁର୍ନୀତି ହେଉଛି ପୋଲିସ୍ ବିଭାଗରେ। ପୋଲିସ୍ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର ଏଫ୍‌ଆଇଆର୍ ନରଖି ଓଲଟା ଅସଦାଚରଣ କରିବାର ନଜିର ରହିଛି। କେବେଳ ସେତିକି ନୁହେଁ କନେଷ୍ଟବଳ ଘରୁ ଭିଜିଲାନ୍ସ କୋଟି କୋଟି ଟଙ୍କା ଜବତ କରୁଛି। ଏଏସ୍‌ଆଇ ଘରୁ ବ୍ୟାପକ ଅର୍ଥ ଜବତ ହେଉଥିବା ବେଳେ ଗଞ୍ଜେଇ ଡ୍ରକ୍ସ ଭଳି ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଲାଣି। ଏଥିରୁ ଜଣାପଡୁଛି ପୋଲିସ୍ ବିଭାଗ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି।

ସେ କହିଲେ ଆମେ ଦାବି କରୁଛୁ ମୁଖ୍ୟମନ୍ତ୍ରୀ ଫାଷ୍ଟ୍‌ଟ୍ରାକ୍ କୋର୍ଟ ଜରିଆରେ ନାବାଳିକାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଦୁର୍ନୀତି ଖୋର ପୋଲିସ୍ କର୍ମଚାରୀଙ୍କୁ କେବଳ ବହିଷ୍କାର କରିଦେଇ ଦାୟିତ୍ୱ ସାରି ନଦେଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ପୋଲିସ୍ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି କରନ୍ତୁ। ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ଉପରେ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button