ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌ ବନ୍ଦ କରିବାକୁ ବିଧାୟକଙ୍କ ନିର୍ଦ୍ଦେଶ

ଜୟପୁର : ରାଜରାସ୍ତା କଡ଼ରେ ଚାଲିପାରିବନି ନନ୍‌-ଭେଜ୍‌ ଫୁଡ୍‌ ଷ୍ଟଲ୍‌। ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନର ନବ ନିର୍ବାଚିତ ବିଜେପି ବିଧାୟକ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ।

ଖବର ଅନୁଯାୟୀ ସ୍ୱାମୀ ବାଲମୁକୁନ୍ଦ ଆଚାର୍ଯ୍ୟ ଜଣେ ଅଧିକାରୀଙ୍କୁ ଫୋନ୍‌ କରି ରାସ୍ତା କଡ଼ରେ ଥିବା ସମସ୍ତ ନନ୍‌-ଭେଜ୍‌ ଖାଇବା ଦୋକାନ ବନ୍ଦ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏ ସଂପର୍କରେ ସେ କହିଛନ୍ତି ମୁଁ ଧମକ ଦେଉ ନଥିଲି। ସମସ୍ତ ଅଧିକାରୀଙ୍କୁ ଡାକିଥିଲି। ଜଣେ ଅଧିକାରୀ କହିଲେ ପ୍ରତ୍ୟେକ ଦୋକାନ ବୈଧ। ଯେତେବେଳେ ମୁଁ ଲାଇସେନ୍‌ସ ମାଗିଲି ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା। ସେ କହିଲେ ମନ୍ଦିର ନିକଟରେ ଅନେକ ଦୋକାନ ରହିଛି। ଲୋକମାନେ ମୋ ନିକଟରେ ଅଭିଯୋଗ କରିବାରୁ ମୁଁ ନିୟମିତ କରିବା କଥା କହୁଥିଲି। ଏହାକୁ କେନ୍ଦ୍ରକରି କଂଗ୍ରେସ ପରିବେଶକୁ ଖରାପ କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି।

ସେହିପରି ଏହି ଅଞ୍ଚଳର ଧ୍ରୁବୀକରଣ କରିବାକୁ ଆଚାର୍ଯ୍ୟ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗକୁ ନେଇ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ପାଖରେ କୌଣସି ପ୍ରସଙ୍ଗ ନାହିଁ। ଗତ ୫ ବର୍ଷ ଧରି କଂଗ୍ରେସ ଅଧିକାରୀଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲା। ସେମାନେ ମହିଳାମାନଙ୍କୁ ସୁରକ୍ଷା ଦେଇପାରି ନଥିଲେ। ତେଣୁ କଂଗ୍ରେସ ସରକାର ଉଚ୍ଛେଦ ହୋଇଛି। ସୂଚନାଯୋଗ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି କି ବୋଲି ପ୍ରଶ୍ନରେ ଆଚାର୍ଯ୍ୟ କହିଲେ ମୁଁ ମୋ ଧାମରେ ଜଣେ ସାଧୁ। ତା’ପରେ ଜଣେ ଦଳୀୟ କର୍ମକର୍ତ୍ତା। ଦଳ ଯାହା ନିଷ୍ପତ୍ତି ନେବ ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କାମ କରିବୁ।

Leave a Reply

Your email address will not be published. Required fields are marked *

Back to top button