କ୍ୟାମ୍ପସକୁ ରାଜନୀତିକରଣ କରିବାକୁ ସରକାର ଷଡଯନ୍ତ୍ର ରଚିଛନ୍ତି : ବିଜେପି

ଭୁବନେଶ୍ଵର : ରାଜ୍ୟ ସରକାର କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଅଭିଯୋଗ କରିଛନ୍ତି ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି। କଲେଜ କ୍ୟାମ୍ପସରେ ଦଳୀୟ ପତାକା ଉଡୁଛି ଓ ବ୍ୟାନର ଲାଗିଛି। ନୂଆ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କ୍ଲାସ ଭିତରେ ନେତା ଓ କର୍ମୀ କ୍ୟାମ୍ପେନ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ୬ ବର୍ଷ ହେଲା ବନ୍ଦ କରି ଆସୁଛନ୍ତି। ସେ କହିଲେ ସରକାର ଲିଙ୍ଗଡୋ କମିଶନ ନିୟମକୁୁ ଉଲ୍ଲଙ୍ଘନ କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ବାତିଲ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ସେହିପରି କଲେଜ ଗୁଡିକରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଥିବା ବେଳେ ଅନେକ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଓ ଅଧ୍ୟାପକ ନାହାଁନ୍ତି। ଏହାର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡୁଛି। କଲେଜ କ୍ୟାମ୍ପସରେ ପାନୀୟ ଜଳ, ସାଇକେଲ ଷ୍ଟାଣ୍ଡ, କମନ ରୁମ, ଲାଇବ୍ରେରୀ, ଖେଳ ପଡିଆ, ଲାବ୍ରୋଟୋରୀ, ଲେଡିଜ ହଷ୍ଟେଲ ଆଦିର ଉନ୍ନତିକରଣ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଉନି।

ସେ କହିଲେ ରାଜ୍ୟରେ ଅନେକ ସ୍ୱଂୟଶାସିତ କଲେଜ ନାକ୍ ଗ୍ରେଡ ହାସଲ କରିପାରୁ ନାହାଁନ୍ତି। ଫଳରେ ୧୦ରୁ ଅଧିକ କଲେଜ ସ୍ୱଂୟଶାସିତ ମାନ୍ୟତା ହରାଇଛନ୍ତି। କେବଳ ସେତିକି ନୁହେଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ୟୁନିଭରସିଟି ଆମେଣ୍ଡମେଂଟ ଆକ୍ଟ-୨୦୨୦ ଲାଗୁ କରି ୟୁଜିସି ରେଗୁଲେସନ ଆକ୍ଟ -୨୦୧୮ର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି। ଯାହା ଉପରେ ଏବେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ଆଇନ ଲାଗୁ କରି ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱତନ୍ତ୍ରତା ନଷ୍ଟ କରିବା ସହ କୁଳପତିମାନଙ୍କର ଚୟନରେ ରାଜ୍ୟ ସରକାର ହସ୍ତକ୍ଷେପ କରି କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାର ଷଡଯନ୍ତ୍ର କରିଛନ୍ତି। ହୀନ ରାଜନୀତି ଛାଡି ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରନ୍ତୁ। ‘ନୂଆ-ଓ’, “ଯୁବ ଓଡିଶା ନବୀନ ଓଡିଶା” ନାଁରେ ରାଜନୀତି ନକରି କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ତିଆରି କରିବା ପାଇଁ ଶ୍ରୀ ଠାକୁର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button