ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ : ତେଲଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ଥ ରେଡ୍ଡୀ। ହାଇଦ୍ରାବାଦର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି। ତେଲେଙ୍ଗାନା ରାଜ୍ୟପାଳ ଟି ସୌନ୍ଦରରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଖବର ଅନୁଯାୟୀ ଭଟ୍ଟି ବିକ୍ରମାର୍କା ମଲ୍ଲୁ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଓ ଆଉ ୧୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଉତ୍ତମ କୁମାର ରେଡ୍ଡୀ ରହିଛନ୍ତି। ଏହାଛଡା କ୍ୟାବିନେଟ୍‌ରେ ଯୋଗଦେଇଥିବା ଅନ୍ୟ ୯ଜଣ ହେଲେ ଶ୍ରୀଧର ବାବୁ, ପନ୍ନୋମ ପ୍ରଭାକର, କୋମାତିରେଡ୍ଡୀ ଭେଙ୍କଟ ରେଡ୍ଡୀ, ଦାମୋଦର୍‌ ରାଜନରସିଂହ, ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ଡନା ଅନସୂୟା, ତୁମ୍ମଲା ନାଗେଶ୍ଵର ରାଓ, କୋଣ୍ଡା ସୁରେଖା ଓ ଜୁପାଲ୍ଲୀ କୃଷ୍ଣା ରାଓ। ଏହି ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ରେବନ୍ଥ ରେଡ୍ଡୀ ୨୦୦୬ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନରେ ଜିତିଥିଲେ। ୨୦୦୭ରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ। ଟିଡିପି ଟିକେଟରେ ୨୦୦୯ରେ ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ୨୦୧୪ରେ ତେଲେଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ କଂଗ୍ରେସରେ ମିଶିଲେ। ୨୦୧୮ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥ ରେଡ୍ଡୀ କଂଗ୍ରେସରୁ କୋଡଙ୍ଗଲ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ ମାଲକାଜଗିରି ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୨୧ରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ଵ ତାଙ୍କୁ ଦଳର ତେଲଙ୍ଗାନା ମୁଖ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button