ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିଲା ବେଳେ ଅଗ୍ନିକାଣ୍ଡ, ଜଳିଗଲା ୫ ବର୍ଷର ଶିଶୁ

କେନ୍ଦ୍ରାପଡ଼ା : ବାଇକ୍‌ ଆରୋହୀ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ସମୟରେ ଅଘଟଣ। ଅଗ୍ନିକାଣ୍ଡରେ ଜଳିଗଲା ଜଣେ ୫ ବର୍ଷର ଶିଶୁ। ଦୁଇଜଣ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପଟ୍ଟମୁଣ୍ଡାଇ ଥାନା ଅନ୍ତର୍ଗତ ବଡପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ ଆଜିଥିଲା ବଡ଼ପଡ଼ା ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର। ବାଇକ୍‌ରେ ଯିବାକୁ ଥିବା ବରଯାତ୍ରୀଙ୍କ ପାଇଁ ପେଟ୍ରୋଲ ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ଗୋଟିଏ ଜାର୍‌ରେ ପେଟ୍ରୋଲ ଆଣି ରଖାଯାଇଥିଲା। ସନ୍ଧ୍ୟାରେ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍‌ ଆରୋହୀ ବରଯାତ୍ରୀଙ୍କୁ ପେଟ୍ରୋଲ୍‌ ବଣ୍ଟା ଯାଉଥିଲା। ଜଣେ ପରେ ଜଣେ ବାଇକ୍‌ରେ ପେଟ୍ରୋଲ୍‌ ଭର୍ତ୍ତି କରୁଥିବା ସମୟରେ କୌଣସି କାରଣରୁ ପେଟ୍ରୋଲ୍‌ରେ ନିଆଁ ଲାଗିଯିବାରୁ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁପୁତ୍ର ପୋଡ଼ିଯାଇଥିଲା। ପଡୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାବ୍ୟତୀତ ନିଆଁରେ ଦୁଇ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ମଧ୍ୟ ଜଳିଯାଇଛି। ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଭାବନୀୟ ଘଟଣାକୁ ନେଇ ବନପଡ଼ା ଗାଁରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Back to top button