ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ : କୁସୁମ-ଯୋଗେଶ ମୁହାଁମୁହିଁ

ସୁନ୍ଦରଗଡ଼ : ମଦ ବେପାରୀ ରାଜକିଶୋର ଜୟସ୍ଵାଲଙ୍କ ଘରେ ଆୟକର ଚଢ଼ାଉକୁ ନେଇ ସୁନ୍ଦରଗଡର ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି।

ଖବର ଅନୁଯାୟୀ ବିଜେପି ବିଧାୟିକା କୁସୁମ ଟେଟେ ସିଧାସଳଖ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଯୋଗେଶଙ୍କ ସିଂଙ୍କ ଉପରେ ଲଗାଇଛନ୍ତି ଆରୋପ। ସେ କହିଛନ୍ତି ସୁନ୍ଦରଗଡ଼ର ରାଜକିଶୋର ମଦ ବେପାରରେ ଯୋଗେଶ ଅଂଶୀଦାର ଥିଲେ। ରାଜକିଶୋରଙ୍କ ମଦଭାଟିଗୁଡ଼ିକର ଜମି ଯୋଗେଶଙ୍କ ମା’ ଓ ଭାଇଙ୍କ ନାମରେ ରହିଛି। ମଦର ଭାଗ ଟଙ୍କାରେ ଯୋଗେଶ ବାବୁ ନିର୍ବାଚନ ଲଢ଼ୁଥିଲେ। ମନ୍ଦିର, ସ୍କୁଲ, ଡାକ୍ତରଖାନା ନିକଟରେ ଥିବା ସୁନ୍ଦରଗଡ଼ର ଅନେକ ମଦଭାଟି ଓ ମଦ ଦୋକାନକୁ କାହିଁକି ଉଚ୍ଛେଦ କରାଯାଉ ନାହିଁ ବୋଲି ମୁଁ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉତ୍ଥାପନ କରିଥିବା କହିଛନ୍ତି। କିନ୍ତୁ ବିଜୁ ଜନତା ଦଳ ଏହି ମଦ ବେପାରୀମାନଙ୍କୁ ସାହାରା ଦେଇ ଏମାନଙ୍କ ଟଙ୍କାରେ ନିର୍ବାଚନ ଲଢ଼ୁଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ପୂର୍ବତନ ବିଧାୟକ ଯୋଗେଶ ସିଂ। ସେ କହିଛନ୍ତି ରାଜକିଶୋରଙ୍କ ସହ ତାଙ୍କର କୌଣସି ପ୍ରକାର ବ୍ୟାବସାୟିକ ସମ୍ପର୍କ ନାହିଁ। କେବଳ ପାରିବାରିକ ସମ୍ପର୍କ ଅଛି। ମଦଭାଟି ଗୁଡ଼ିକର ଜମି ମାଲିକାନା ରାଜକିଶୋର ଓ ତାଙ୍କ ଭାଇଙ୍କ ନାମରେ ଅଛି। ମଦଭାଟି ସହ ଆମ ପରିବାରର କୌଣସି ସମ୍ପର୍କ ନାହିଁ। ୧୩ ବର୍ଷ ତଳେ ମୃତ ମା’ଙ୍କ ନାଁକୁ ଯୋଡ଼ି ବିଧାୟିକା ଅତି ତଳସ୍ତରର ରାଜନୀତି କରୁନ୍ତି। ଯଦି କିଛି ପ୍ରମାଣ ଅଛି ତେବେ ତାକୁ ସାର୍ବଜନୀନ କରନ୍ତୁ ବୋଲି ଯୋଗେଶ ଆହ୍ଵାନ ଦେଇଛନ୍ତି। ଏଥିସହ ପୂର୍ବରୁ କୁସୁମ ନିଜ ଗାଁରେ ହାଣ୍ଡିଆ ବିକୁଥିବା କଥା ମନେପକାନ୍ତୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button