ସାଂସଦ ପଦରୁ ମହୁଆଙ୍କୁ ବହିଷ୍କାର କରିବାକୁ ଏଥିକ୍ସ କମିଟିର ସୁପାରିସ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଅର୍ଥ ଅଭିଯୋଗରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର କରାଯାଉ। ଲୋକସଭାରେ ଆଗତ ଏଥିକ୍ସ୍‌ କମିଟି ରିପୋର୍ଟରେ ଏହି ସୁପାରିସ କରାଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ପ୍ରଶ୍ନକାଳ ପରେ ଗୃହ ମୁଲତବୀ ହୋଇଥିଲା। ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପାନେଲ୍‌ ବା କମିଟିର ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିଲେ ଏଥିକ୍ସ୍‌ କମିଟିର ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର୍‌। ଏଥିରେ ମହୁଆ ମୈତ୍ର କରିଥିବା ସାଙ୍ଘାତିକ ଅପକର୍ମ କଠୋର ଦଣ୍ଡବିଧାନ ଯୋଗ୍ୟ ଉଲ୍ଲେଖ ରହିଛି। ତେଣୁ ସାଂସଦ ମହୁଆ ମୈତ୍ରଙ୍କୁ ୧୭ଶ ଲୋକସଭାର ସଦସ୍ୟ ପଦରୁ ବହିଷ୍କାର କରାଯାଉ ବୋଲି କମିଟି ସୁପାରିସ କରିଛି।

ଏଥିସହ ମହୁଆ ମୈତ୍ରଙ୍କ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ କାର୍ଯ୍ୟ ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ସରକାର କଠୋର, ବିହିତ ଓ ସୁସଙ୍ଗଠି ଉପାୟରେ ତଦନ୍ତ କରିବା ଲାଗି କମିଟି ସୁପାରିସ କରୁଛି। ଏହି ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ତୃଣମୂଳ କଂଗ୍ରେସ ସଦସ୍ୟଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ରିପୋର୍ଟର କପି ପାଇବା ଦାବିରେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ।ସୁପାରିସ ଉପରେ ଭୋଟ୍‌ କରାଯିବା ପୂର୍ବରୁ ରିପୋର୍ଟ ଉପରେ ବିତର୍କ କରିବା ଲାଗି ତୃଣମୂଳ କଂଗ୍ରେସ ସଦସ୍ୟା କଲ୍ୟାଣ ବାନାର୍ଜୀ ଦାବି କରିଛନ୍ତି। ଗୃହରେ ହୋହାଲ୍ଲା ଚାଲିଥିବା ବେଳେ ବାଚସ୍ପତି ଆସନରେ ବସିଥିବା ବିଜେପି ସଦସ୍ୟ ରାଜେନ୍ଦ୍ର ଅଗ୍ରୱାଲ୍‌ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button