ଫେସବୁକ୍‌ରୁ ପ୍ରେମ ଓ ବିବାହ : ଏବେ ସ୍ୱାମୀଙ୍କୁ ଖୋଜି ବାଲେଶ୍ୱରରେ ବାଂଲାଦେଶୀ ଯୁବତୀ

ବାଲେଶ୍ଵର : ଫେସବୁକ୍‌ ସମ୍ପର୍କରୁ ପ୍ରେମ। ପ୍ରେମିକାକୁ ଭେଟିବାକୁ ବାଂଲାଦେଶ ଯାତ୍ରା। ସେଠାକାର ଏକ ମସଜିଦରେ ଦୁହିଁଙ୍କର ନିକାହ। ଏସବୁ ୬ ବର୍ଷ ତଳର ଘଟଣା। ଏବେ ବାଂଲାଦେଶୀ ଯୁବତୀ ପତ୍ନୀର ଅଧିକାର ପାଇଁ ବାଲେଶ୍ୱରରେ ପହଞ୍ଚିଛି। ପ୍ରେମିକ ନାଁ’ରେ କରିଛି କମର୍ଦ୍ଦା ଥାନାରେ ଅଭିଯୋଗ। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବତୀଜଣକ କିପରି ଓଡ଼ିଶା ଆସିଲେ ସିବିଆଇ ତାହାର ତଦନ୍ତ କରୁଥିବା ଜଣାପଡିଛି।

ଖବର ଅନୁଯାୟୀ ବାଂଲାଦେଶ ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ରୁମା ମାରିୟମ୍। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବୁଧ କୁସୁମିର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସ୍ୱାମୀ ବୋଲି ଦାବି କରୁଛନ୍ତି। ରୁମା କହିଛନ୍ତି ଫେସବୁକରୁ ଆରମ୍ଭ ଦୁହିଁଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ବାଂଲାଦେଶରେ ପହଞ୍ଚିଥିଲେ ବୀରେନ୍ଦ୍ର। ବାଂଲାଦେଶର ଏକ ମସଜିଦରେ ୬ ବର୍ଷ ତଳେ ସେମାନେ ନିକାହ କରିଥିଲେ। ମାତ୍ର ୬ ମାସ ତଳେ ବିରେନ୍ଦ୍ର ବିବାହ କରିଥିବା ଖବର ପାଇ ସ୍ୱାମୀଙ୍କୁ ପାଇବାକୁ ବାଂଲାଦେଶରୁ ଆସି ରୁମା ମାରିୟମ୍ ଗତ ୩ ତାରିଖରେ ବାଲେଶ୍ୱରରେ ପହଞ୍ଚିଥିଲେ। ହେଲେ ବିବାହ ନେଇ କୌଣସି ପ୍ରମାଣ ସେ ପୋଲିସ୍‌କୁ ଦେଇପାରି ନାହାନ୍ତି।

ଅନ୍ୟପକ୍ଷରେ ରୁମାଙ୍କୁ ବାଲେଶଶ୍ୱର ୱାନ ଷ୍ଟପ୍‌ ସେଣ୍ଟରରେ ରଖାଯାଇଥିବା ବେଳେ ସିବିଆଇ ଘଟଣାର ତଦନ୍ତ କରୁଛି। ଓଡ଼ିଶାରେ କିପରି ପ୍ରବେଶ କଲେ ଓ ଏହା ପଛର କାରଣ କ’ଣ ଜାଣିବାକୁ ଚେଷ୍ଟା ଜାରି ରହିଛି। କିନ୍ତୁ ବୀରେନ୍ଦ୍ରଙ୍କ ବାପା କହିଛନ୍ତି ଯଦି ରୁମା ମୋ’ ପୁଅକୁ ୬ ବର୍ଷ ତଳେ ବିବାହ କରିଥିଲେ ତେବେ ଏନେଇ ପୂର୍ବରୁ କାହିଁକି ଜଣାଇ ନଥିଲେ। ବିବାହର ପ୍ରମାଣ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡା ପୁଅ ମାସେ ହେଲା ଘରକୁ ଆସି ନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button