Fri. Dec 6th, 2019

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସଂଗ୍ରହ ହେଲା ୭୫ ପ୍ରତିଶତ ଘରୋଇ ଜମି; ମୁଖ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ଭୁବନେଶ୍ଵର : ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି। ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି। ଜମି ପ୍ରଦାନକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି। ସେ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ପବିତ୍ର ଜନ୍ମାଷ୍ଟମୀ ଦିନ ଶ୍ରୀକ୍ଷେତ୍ରବାସୀଙ୍କୁ ନିବେଦନ କରାଯାଇଥିଲା। ଏହି ଅନୁରୋଧକୁ ରକ୍ଷା କରିଥିବାରୁ ଶ୍ରୀକ୍ଷେତ୍ରବାସୀଙ୍କ ନିକଟରେ କୃତଜ୍ଞ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି ମହାପ୍ରଭୁଙ୍କ ପାଇଁ ଜମି ପ୍ରଦାନକାରୀଙ୍କ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବେ। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ତେବେ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୁଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି। ସେଥିପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *