ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ମିଇବ ଉପ ମୁଖ୍ୟମନ୍ତ୍ରୀ ପଦ

ରାୟପୁର : କିଏ ହେବ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସପ୍ତାହ ଧରି କସରତ ଚାଲିବା ପରେ ଶେଷରେ ବିଜେପି ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ନାଁ’ରେ ମୋହର ମାରିଛି। ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି ବିଷ୍ଣୁଦେଓ। ପରେ ସେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଛତିଶଗଡ଼ର ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ।

janatakhabar.in

ଖବର ଅନୁଯାୟୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବିଜେପି ନେତା ରହିଥିଲେ। ତେଣୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ମୁଖ୍ୟମନ୍ତ୍ରୀ ପଦର ପ୍ରଥମ ଦାବିଦାର ଥିବା ବରିଷ୍ଠ ନେତା ରମଣ ସିଂହ ହେବେ ରାଜ୍ୟ ବିଧାନସଭାର ବାଚସ୍ପତି। ସେ ୨୦୦୩ରୁ ୨୦୧୮ ଯାଏ ଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ୨୦୧୮ରେ ବିଜେପି ହାରିବାରୁ ରମଣ ସିଂହଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା। ୨୦୨୩ରେ ବିଜେପି ପୁଣି କ୍ଷମତା ଦଖଲ କରିଥିବାରୁ ଚର୍ଚ୍ଚା ହେଉଥିଲା ରମଣ ସିଂହ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ବିଜେପି ହାଇକମାଣ୍ଡ ଆଦିବାସୀ କାର୍ଡ ଖେଳି ବିଷ୍ଣୁଦେଓଙ୍କୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଓ ରମଣ ସିଂହଙ୍କୁ ସନ୍ତୁଷ୍ଟ କରିବାକୁ ବିଧାନସଭାର ବାଚସ୍ପତି କରାଯିବ। ସେହିପରି ବିଜେପି ନେତା ଅରୁଣ ସାଓ ଓ ବିଜୟ ଶର୍ମା ହେବେ ଛତିଶଡ଼ଗର ଉପ ମୁଖ୍ୟମନ୍ତ୍ରୀ।

ଛତିଶଗଡ଼ ବିଧାନସଭାର ୯୦ଟି ଆସନ ମଧ୍ୟରୁ ବିଜେପି ୫୪ଟିରେ ବିଜୟୀ ହୋଇଛି। କଂଗ୍ରେସକୁ ୩୫ଟି ଓ ଜିଜିପିକୁ ଗୋଟିଏ ଆସନ ମିଳିଛି। ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବରଠାରୁ ବିଜେପି ପାଇଛି ଅଧିକ ଆସନ। ହେଲେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଲାଗିଲା ୬ ଦିନ। ଆଜି ରାୟପୁରରେ ଦଳର ନବନିର୍ବାଚିତ ୫୪ ବିଧାୟକଙ୍କ ବୈଠକ ବସିଥିଲା। ଏଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ସୋନୋୱାଲ, ଅର୍ଜୁନ ମୁଣ୍ଡା ଓ ଦଳର ବରିଷ୍ଠ ନେତା ଦୁଶୟନ୍ତ ଗୌତମ ଉପସ୍ଥିତ ରହିଥିଲେ। ଶେଷରେ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button