Thu. Jun 27th, 2019
1,423 views

ବାସ୍ତବତା ଅନୁଭବ କଲେ ଗଣଶିକ୍ଷା ମନ୍ତ୍ରୀ, ସୁଧୁରିବ ଶିକ୍ଷା ବ୍ୟବସ୍ଥା

ସେୟାର କରନ୍ତୁ:-

ଭୁବନେଶ୍ଵର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିନି । କିନ୍ତୁ ବର୍ତ୍ତମାନର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାୟିତ୍ଵ ଗ୍ରହଣ କରିବା ପରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ବାସ୍ତବତା ଅନୁଭବ କରି ନେଉଛନ୍ତି ପଦକ୍ଷେପ । ତେଣୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

ଇତିମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଯେଉଁ କଲେଜ ଓ ହାଇସ୍କୁଲର ଫଳାଫଳ ଖରାପ ହୋଇଛି ସେଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆସନ୍ତା ୨୦ତାରିଖ ପରଠାରୁ ମନ୍ତ୍ରୀ ମହୋଦୟ ଶୂନ୍ୟ ଫଳାଫଳ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡିକ ପରିଦର୍ଶନରେ ଯିବେ ବୋଲି ସୂଚନା ଦେଇ ସାରିଲେଣି । ଏହା ନିଶ୍ଚିତ ରୂପେ ସ୍ଵାଗତଯୋଗ୍ୟ । କେବଳ ସେତିକି ନୁହେଁ ବଲାଙ୍ଗୀରି ଜିଲ୍ଲାର ୨୮ଟି ବିଦ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏସବୁ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନାହାନ୍ତି । ୫ଟି ବିଦ୍ୟାଳୟରେ ୧୦ଜଣ କରି ପିଲା ଥିବା ବେଳେ ଦୁଇଟି ସ୍କୁଲରେ ଜଣେ ଲେଖାଏଁ ପିଲା ପାଠ ପଢୁଛନ୍ତି । ଅନ୍ୟ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ରହିଛି ୪ରୁ ୯ ଭିତରେ । କିନ୍ତୁ ଦୁଇ ଜଣ ଲେଖାଏଁ ଶିକ୍ଷକ ଏସବୁ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଦର୍ଶାଯାଇଛି । ଏପରି ଶିକ୍ଷାଦାନ କେବଳ ବଲାଙ୍ଗୀରି ଜିଲ୍ଲାରେ ଚାଲିନାହିଁ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିବ । ଛାତ୍ରଛାତ୍ରୀ ନଥିବା ବିଦ୍ୟାଳୟ ଯଦି ବନ୍ଦ ନହୁଏ ତାହେଲେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତାମତ ଦେଉଛନ୍ତି । ତେଣୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଯେହେତୁ ସମସ୍ୟାର ମୂଳ କାରଣକୁ ଧରିଛନ୍ତି ସେ ଦୃଷ୍ଟିରୁ ନିମ୍ନଗାମୀ ହୋଇଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଆଗକୁ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାବ୍ୟତୀତ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା କିପରି ରହିଛି ତାହାକୁ ମନ୍ତ୍ରୀ ଅନୁଧ୍ୟାନ କଲେ ଭବିଷ୍ୟତ ପିଢି ପାଇଁ ନୂଆ କିଛି ଚିନ୍ତା କରାଯାଇପାରିବ ବୋଲି ମତପ୍ରକାଶ ପାଉଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *