ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ହେବେ ଭଜନ ଲାଲ ଶର୍ମା। ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ’କୁ ମିଳିଛି ଅନୁମୋଦନ। ଦିୟା କୁମାରୀ ଓ ପ୍ରେମଚନ୍ଦ ବୈରବା ଉପମୁଖ୍ୟମନ୍ତ୍ରୀ ରହିବେ। ବାଚସ୍ପତି ହେବେ ବାସୁଦେବ ଜଗନାନୀ। ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଦଳର ରାଜସ୍ଥାନର ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଧାୟକ ଦଳର ନେତା ଭାବେ ଭଜନଲାଲ ଶର୍ମାଙ୍କ ନାଁ ଉଠାଇଥିଲେ। ଏହାକୁ ସମସ୍ତ ବିଧାୟକ ଗ୍ରହଣ କରିବା ପରେ ତାଙ୍କୁ ବିଜେପି ବିଧାୟକ ଦଳ ନେତା ଘୋଷଣା କରାଯାଇଥିଲା ବୋଲି ରାଜନାଥ ସିଂହ କହିଛନ୍ତି। ସେହିପରି ଭଜନଲାଲ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟବାସୀ ବିଜେପିଠାରୁ ଯେଉଁ ଆଶା ରଖିଛନ୍ତି ତାକୁ ଦଳର ସମସ୍ତ ବିଧାୟକ ପୂରଣ କରିବେ ମୁଁ ପ୍ରତିଶ୍ରୁତି ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ରାଜସ୍ଥାନରେ ସବୁକ୍ଷେତ୍ରରେ ବିକାଶ କରିବୁ ବୋଲି ସୁନିଶ୍ଚିତ କରୁଛୁ।

୫୬ ବର୍ଷୀୟ ଭଜନଲାଲଙ୍କ ଘର ରାଜସ୍ଥାନର ଭରତପୁରରେ। ସାଙ୍ଗନେର ବିଧାନସଭା ଆସନରୁ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମିଳିଛି ୧,୪୫,୧୬୨ ଖଣ୍ଡ ଭୋଟ୍। ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ସେ ପରାସ୍ତ କରିଛନ୍ତି।ତାଙ୍କ ପାଖରେ ୪୩.୬୦ କୋଟି ଟଙ୍କାର ସ୍ଥାବର ଓ ଦେଢ଼ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେ ଜୟପୁରସ୍ଥିତ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଓ ଶ୍ରୀକୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ମାଲିକ। ଏହାଛଡା ସେ ୪ ଥର ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ହୋଇଥିବା ବେଳେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ଜଡ଼ିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button