ସଂସଦରେ ନାରାବାଜୀ କରିବାରୁ ୧୫ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଓ ଇସ୍ତଫା ଦାବିରେ ନାରାବାଜୀ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଏଭଳି ଆଚରଣକୁ ଅଶୋଭନୀୟ ଦର୍ଶାଇ ୧୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏ ମଧ୍ୟରେ ୧୪ ଜଣ ଲୋକସଭାର ଓ ଜଣେ ରାଜ୍ୟସଭାର ସାଂସଦ ରହିଛନ୍ତି।

ଖବର ଅନୁଯାୟୀ ଲୋକସଭାରୁ ନିଲମ୍ବିତ ହୋଇଥିବା ୧୪ ଜଣ ସାଂସଦଙ୍କ ମଧ୍ୟରେ ୯ ଜଣ କଂଗ୍ରେସ ସାଂସଦ ଥିବା ବେଳେ ୨ ଜଣ ସିପିଏମ, ଜଣେ ସିପିଆଇ ଓ ୨ ଜଣ ଡିଏମକେ ସଦସ୍ୟ ରହିଛନ୍ତି।
କଂଗ୍ରେସ ସାଂସଦ ମଣିକମ ଟାଗୋର, ମହମ୍ମଦ ଜାଭେଦ, ଭିକେ ଶ୍ରୀକାନନ୍ଦନ, ବେନୀ ବେହାନାନ, ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଓ ଟିଏନ୍ ପ୍ରତାପନଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ଡିଏମକେର କେ କାନିମୋଝି, ଏସଆର ପ୍ରତିବନ, ସିପିଏମର ପିଆର ନଟରାଜନ, ଏସ ଭେଙ୍କଟେଶନ ଓ ସିପିଆଇଏମର କେ ସୌଭରାୟନଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପୂର୍ବରୁ ଟିଏମସିର ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନଙ୍କୁ ନିଲମ୍ବନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧନଖଡ ଓବ୍ରେନଙ୍କୁ ଚଳିତ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରୁ ନିଲମ୍ବନ କରିଛନ୍ତି। ନିଲମ୍ବନକୁ କଂଗ୍ରେସର ରାଜ୍ୟସଭା ସାଂସଦ କେସି ଭେନୁଗୋପାଲ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button