୨୦୨୪ରେ ନିର୍ବାଚନ ଲଢ଼ିବେନି ଭି.କେ ପାଣ୍ଡିଆନ

ଭୁବନେଶ୍ଵର : ୨୦୨୪ରେ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ବାଚନ ଲଢିବେ ନାହିଁ। ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସେ ଏନେଇ ସ୍ପଷ୍ଟ କରିଛନ୍ତି ବୋଲି ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ ବିଧାୟକ ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି ଭି.କେ ପାଣ୍ଡିଆନ ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ରାଜ୍ୟର ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ। ସୁଶାସିତ ରାଜ୍ୟ ଭାବେ ଯେପରି ଓଡ଼ିଶା ଦେଶରେ ପ୍ରତିଷ୍ଠା ଲାଭ କରିଛି ଦଳକୁ ମଧ୍ୟ ଆହୁରି ଲୋକପ୍ରିୟ କରିବାକୁ କାମ କରିବେ ବୋଲି ପାଣ୍ଡିଆନ କହିଛନ୍ତି।

ଶ୍ରୀ ମିଶ୍ର କହିଲେ ବିଜେଡି ସାଙ୍ଗଠନିକ ନିର୍ବାଚନ ବର୍ଷେ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ବିରୋଧୀଙ୍କୁ କାଉଣ୍ଟର କରିବାକୁ ସୋସିଆଲ ମିଡିଆକୁ ଅସ୍ତ୍ର କରାଯିବ। ଦଳର ସଭାପତି ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ମିଛ କହି ଅପପ୍ରଚାର କରୁଛନ୍ତି ବୋଲି ସଭାପତି କହିଛନ୍ତି। ସେହିପରି କେନ୍ଦ୍ର ନିକଟରେ ପୁଣି ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ କାର୍ଯ୍ୟକାରିଣୀରେ ବିଜେଡି ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦଳ ଉଦ୍ୟମ ଜାରି ରଖିବ। ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା ନେଇ ଦଳ ଦୁଃଖପ୍ରକାଶ କରିଥିବା ବେଳେ କୋଇଲା ରୟାଲିଟି, ସେସ୍‌ରେ ଦାବି ପୂରଣ ପାଇଁ ଉଦ୍ୟମ ଚାଲିବ ବୋଲି ସେ କହିଛନ୍ତି।

ଏହାବ୍ୟତୀତ, ନିଷ୍ପତ୍ତି ହୋଇଛି ବିଜୁ ଜନତା ଦଳ ଜାନୁଆରୀ ୨୩ ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚଳାଇବ। କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ଗାଁକୁ ଚାଲ ଅଭିଯାନ ଚାଲିବ। ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଦିଆଯିବ। ନିର୍ବାଚନ ମଣ୍ଡଳୀ ପରେ ଜୋନାଲ ୱାରୀ ପ୍ରଶିକ୍ଷଣ ଦିଆଯିବ। ପଞ୍ଚାୟତସ୍ତରୀୟ ସମ୍ମିଳନୀ କରିବାକୁ ମଧ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା ଶ୍ରୀ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button