ସଂସଦର ସୁରକ୍ଷା ତ୍ରୁଟି : ବିଶୃଙ୍ଖଳିତ ଆଚରଣ ପାଇଁ ୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ରଖନ୍ତୁ। ବିରୋଧୀଦଳ ସଦସ୍ୟମାନେ ଏହି ଦାବିରେ ଅଟଳ ରହି ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା କରିଥିଲେ। ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ମୋଟ ୩୩ ସାଂସଦ ନିଲମ୍ବିତ ହୋଇଥିବା ବେଳେ କିଛିଦିନ ପୂର୍ବରୁ ପୂରା ଅଧିବେଶନ ପାଇଁ ୧୩ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

ଖବର ଅନୁଯାୟୀ ସୋମବାର ଗୃହ ଆରମ୍ଭ ହେବାମାତ୍ରେ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ଦାବି କରିଥିଲେ। ଅନ୍ୟ ବିରୋଧିଦଳର ସଦସ୍ୟମାନେ ଏହାକୁ ସମର୍ଥନ ଜଣାଇ ହଟ୍ଟଗୋଳରେ ସାମିଲ ହୋଇଥିଲେ। ତେଣୁ ସମସ୍ତଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟକୁମାର, ଅପୂର୍ବ ପୋଦ୍ଦାର, ପ୍ରସୁନ ବାନାର୍ଜୀ, ମହମ୍ମଦ ବଶିର, ଜି. ସେଲଭମ୍, ସିଏନ୍ ଆନ୍ନାଦୁରାଇ, ଡକ୍ଟର ଟି ସୁମତି, କେ. ନବସ୍କାନି, କେ ବୀରସ୍ୱାମୀ, ଏନ୍ କେ ପ୍ରେମଚନ୍ଦ୍ରନ, ସୌଗତ ରାୟ, ଶତାବ୍ଦୀ ରାୟ, ଅସିତ କୁମାର ମାଲ, କୌଶଲେନ୍ଦ୍ର କୁମାର, ଏନ୍ଟୋ ଆଣ୍ଟୋନି, ଏସ୍. ଏସ୍. ପାଲନାମିକମ୍, ଅବଦୁଲ ଖାଲିଦ, ଥିରୁଭାରୁସ୍କର (ଏସ୍.କେ. ତିରୁନାବୁକ୍କରସାର), ବିଜୟ ବସନ୍ତ, ପ୍ରତିମା ମଣ୍ଡଳ, କାକୋଲି ଘୋଷ, କେ ମୁରଲୀଧରନ, ସୁନୀଲ କୁମାର ମଣ୍ଡଳ, ଏସ ରାମଲିଙ୍ଗମ, କେ. ସୁରେଶ, ଅମର ସିଂ, ରାଜମୋହନ ଉନ୍ନିଥନ, ଗୌରବ ଗୋଗୋଇ ଓ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଛି।

ଗୃହରେ ହଙ୍ଗାମା ଯୋଗୁଁ ଏହି ୩୦ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ କେ. ଜୟକୁମାର, ବିଜୟ ବସନ୍ତ ଓ ଅବଦୁଲ ଖାଲିକଙ୍କୁ ନିଲମ୍ବିତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button