ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବିଲ୍ ପାରିତ

ନୂଆଦିଲ୍ଲୀ : ଲୋକସଭାରେ ଆଜି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଓ କାର୍ଯ୍ୟାଳୟର ଅବଧି) ବିଲ୍, ୨୦୨୩ ପାରିତ ହୋଇଛି। ପୂର୍ବରୁ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଥିଲା।

ଖବର ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ତିନିଜଣ ସଦସ୍ୟଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ପ୍ରତିଷ୍ଠା କରିବା ଏହି ବିଲର ଲକ୍ଷ୍ୟ। ଗତ ମାର୍ଚ୍ଚରେ ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ମୁଖ୍ୟ ନିର୍ବାଚନ କମିଶନର୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳେଇ ଦେଇଥିଲେ। କୋର୍ଟ କହିଥିଲେ ନିଯୁକ୍ତି ଆଉ ସରକାରଙ୍କ ହାତରେ ରହିବ ନାହିଁ। ତିନି ସଦସ୍ୟ ବିଶିଷ୍ଟ ସମିତିର ସୁପାରିସ ଆଧାରରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ହେବେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ଓ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ସୁପ୍ରିମ୍‌ କୋର୍ଟର ପ୍ରମୁଖ ନ୍ୟାୟାଧୀଶ ସଦସ୍ୟ ରହିବେ। ଆଉ ସ୍ପଷ୍ଟ କରିଥିଲେ ସଂସଦରେ ସ୍ଥାୟୀ ଆଇନର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁ ରହିଥିବ। ଏ ସମ୍ପର୍କିତ ବିଲ୍ ପାରିତ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଉ କାର୍ଯ୍ୟକାରୀ ହେବ ନାହିଁ।

Leave a Reply

Your email address will not be published. Required fields are marked *

Back to top button