ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ପରଲୋକ : ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୋକ

ଭୁବନେଶ୍ୱର : ଓଡ୍ରାଫ୍‌ ଟିମର ବୋଟ ଓଲଟିବା ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ଘଟିଛି। କଟକ ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଦୁର୍ଘଟଣା ଘଟିଥିଲା। ଅରିନ୍ଦମଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ରାଜ୍ୟପାଳ ଟୁଇଟ୍‌ରେ କହିଛନ୍ତି ଓଡ଼ିଆ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକ ଖବର ଶୁଣି ମର୍ମାହନ ଅନୁଭବ କରୁଛି। ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

ଖବର ଅନୁଯାୟୀ ଶୁକ୍ରବାର ସକାଳୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍‌ଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା। ସେଥିରେ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭିର ପ୍ରତିନିଧି ଅରିନ୍ଦମ ଦାସ, କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ଓ ଜଣେ ଓଡ୍ରାଫ୍‌ କର୍ମଚାରୀ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ପ୍ରଭାତ ସିହ୍ନାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଓଟିଭିରେ କାର୍ଯ୍ୟ କରିବା ପୂର୍ବରୁ ଅରିନ୍ଦମ ଦାସ ଦୈନିକ ଧରିତ୍ରୀର ଭୁବନେଶ୍ୱରରେ କ୍ରାଇମ୍‌ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ। ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟଣା ରାଜ୍ୟର ଗଣମାଧ୍ୟମ ପରିସରରେ ଶୋକର ଛାୟା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *

Back to top button