ରବିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଗୁଲାବ’ : ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡି୍ପ୍ରେସନ ପଶ୍ଚିମ ଦିଗରେ ଗତି କରୁଛି। ଆଜି ରାତିରେ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଆସନ୍ତାକାଲି (ରବିବାର) ସଂଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ। ପରେ ତେଲେଙ୍ଗାନା ଓ ଛତିଶଗଡ ଆଡ଼କୁ ଗତିକରି ଦୁର୍ବଳ ହୋଇଯିବ। ପାକିସ୍ତାନ ଏହାର ନାମକରଣ ‘ଗୁଲାବ’ କରିଛି। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପହନ ବହିବ। ଏହି ସମୟରେ ସମୁଦ୍ର ରହିବ ଅଶାନ୍ତ। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ଦୁର୍ବଳ ହେବା ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ପ୍ରବେଶ କରିବ। ଭିଏତନାମରେ ଧ୍ୱଂସଲୀଳା ରଚିଥିବା ବାତ୍ୟା ‘ଡିଆମୁ’ ଧୀରେ ଧୀରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହା ବଙ୍ଗୋପସାଗରରେ ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଥିବ। ଏହାର ପ୍ରଭାବ ବଙ୍ଗଳା ଓ ବାଙ୍ଗଲାଦେଶ ସଂଲଗ୍ନ ଅଞ୍ଚଳ ଉପରେ ପଡିବ। ତେଣୁ ମଙ୍ଗଳବାର କୋଲକାତା ସମେତ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ କହିଛି ବାତ୍ୟା ପ୍ରଭାବରେ ଓଡିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ଗୁଡିକ ହେଲା ଗଞ୍ଜାମ, ନୟାଗଡ, କଟକ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଓ କନ୍ଧମାଳ। ସେଥିପାଇଁ ଏ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଏନଡିଆରଏଫ ଓ ଓଡ୍ରାଫ୍‌ ଟିମ ମଧ୍ୟ ସଜାଗ ରହିଛନ୍ତି।

ସେହିପରି ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ୨୫ ଓ ୨୬ ତାରିଖରେ କେହି ଛୁଟିରେ ରହିପାରିବେନି ବୋଲି ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ବିନା ଅନୁମତିରେ କେହି ହେଡକ୍ୱାଟର୍ସ ଛାଡ଼ିପାରିବେ ନାହିଁ। କାରଣ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତେ ସତର୍କ ଓ ସଚେତନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ୨୬ ଓ ୨୭ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ଦୁଇଦିନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ୫୦ରୁ ୬୦ କିମି ଏବଂ ଆସନ୍ତାକାଲି ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ସ୍ତରରେ ଟିମ୍‌ ଗଠନ ସହିତ ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କୁ ସଜାଗ କରାଯାଇଛି। ପାହାଡ଼ିଆ ଓ ତଳିଆ ଅଞ୍ଚଳ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ କ୍ଷୟକ୍ଷତିର ଆକଳନ ପାଇଁ ଟିମ୍‌ ଗଠନ କରାଯାଇଛି। ବାତ୍ୟା ପାଇଁ ସୋନାପୁର ଓ ଗୋପାଳପୁର ବିଚ୍‌କୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button