ବାତ୍ୟା ‘ଗୁଲାବ’ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ବିପଦ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ଅବପାତ ବାତ୍ୟାର ରୂପ ନେଇ ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବ। ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଓ ଦକ୍ଷିଣ ଓଡ଼ିଶାର ‌ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ଓ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ। ଏହା ରାତି ୧୧ଟା ସୁଦ୍ଧା ଗୋପାଳପୁରଠାରୁ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ବାତ୍ୟା ‘ଗୁଲ୍‌-ଆବ୍‌’ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ। ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡ୍‌ଫଲ୍‌ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବ। ଗଞ୍ଜାମ, ଶ୍ରୀକାକୁଲମ୍‌ ଓ ବିଜୟନଗରମ୍‌ ଜିଲ୍ଲା ଉପକୂଳରେ ଅଧ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ। ତେଣୁ ସମୁଦ୍ର ଭିତରକୁ ପ୍ରବେଶ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ବାତ୍ୟା ଯୋଗୁ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ଜିଲ୍ଲାରେ ପବନର ତୀବ୍ରତା ଅଧିକ ରହିଲେ ମଧ୍ୟ ଦୁଇଦିନ ଧରି ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା ରବିବାର ସନ୍ଧ୍ୟା ପରେ ବାତ୍ୟା ଆନ୍ଧ୍ର ଉପକୂଳର ଶ୍ରୀକାକୁଲମ୍‌ ପାଖାପାଖି ସ୍ଥଳ ଭାଗ ଛୁଇଁପାରେ। ତେବେ ମଧ୍ୟାହ୍ନ ପରେ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ସହ ୧୨ ଘଣ୍ଟା ପର୍ଯ୍ୟନ୍ତ ପବନର ପ୍ରଭାବ ରହିବ। ବାତ୍ୟାର ଉପର ଭାଗରେ ପବନର ପ୍ରକୋପ ଅଧିକ ରହିବ। ବାତ୍ୟା କେନ୍ଦ୍ରର ଉତ୍ତରରେ ଗଞ୍ଜାମର ଦକ୍ଷିଣ ଉପକୂଳ(ଗୋପାଳପୁରର ଦକ୍ଷିଣରେ) ଓ ଗଜପତି(ପାରଳାଖେମୁଣ୍ଡି ଅଞ୍ଚଳରେ) ପବନର ବେଗ ୬୦ରୁ ୭୦ କିମି ପର୍ଯ୍ୟନ୍ତ ଯାଇପାରେ। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହୋଇଯିବ। ପୁରୀର କଣାସଠାରୁ ଗଞ୍ଜାମର ସୋନପୁର ବେଳାଭୂମି ଓ ସଂଲଗ୍ନ ନୟାଗଡ଼, ଗଜପତିରେ ପ୍ରବଳ ବର୍ଷା ହେବ। ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନର ଆଶଙ୍କା ଅଧିକ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ବାତ୍ୟାରେ ପବନର ବେଗ କମ୍‌ ରହିବ ଓ ବର୍ଷା ଅଧିକ ହେବ। ରବିବାର ଓ ସୋମବାର ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ହେବ। ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା‌ ରହିଛି। ଦୁଇଦିନ ଧରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗିରହିବା କାରଣରୁ ଭୂସ୍ଖଳନ ଓ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା‌ ଏବଂ ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ ଭୂସ୍ଖଳନର ଆଶଙ୍କା ରହିଛି। କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ବର୍ଷା ଲାଗିରହିବ। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅତିପ୍ରବଳ ବର୍ଷାକୁ ନଜରରେ ରଖି ଅରେଞ୍ଜ ଓ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button