ମଦ ଦୋକାନ ଉପରେ କଟକଣା : ଆସନ୍ତା ସପ୍ତାହରେ ୫ ଦିନ ବନ୍ଦ

କୋଲକାତା : ମଦ ଦୋକାନୀଙ୍କ ଉପରେ ଲାଗିଛି କଟକଣା । ଆସନ୍ତା ସପ୍ତାହରେ କୋଲକାତାର ବିଭିନ୍ନ ସ୍ଥାନରେ ବାର୍‌ ଓ ମଦ ଦୋକାନ ବନ୍ଦ ରହିବ । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟ୍‌ ହେଉଥିବା ଅଞ୍ଚଳରେ ୫ ଦିନ ପାଇଁ ଏହି କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି । ସେପ୍ଟେମ୍ବର ୩୦ରେ ରାଜ୍ୟର ୩ଟି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନହେବ । ବହୁଚର୍ଚ୍ଚିତ ଭବାନୀପୁର ଆସନରେ ମଧ୍ୟ ଉପନିର୍ବାଚନ ହେଉଥିବାରୁ ଉକ୍ତ କଟକଣା ଲାଗୁ କରାଯିବ ।

ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଏହି ଅଞ୍ଚଳରେ ସମସ୍ତ ମଦ ଦୋକାନ ଓ ବାର୍‌ ବନ୍ଦ କରିବାକୁ ପଡ଼ିବ । ଭବାନୀପୁର ବାଦ୍‌ ପାର୍କ ଷ୍ଟ୍ରିଟ୍‌ ଓ ସହରର ଅନ୍ୟ ଅଞ୍ଚଳରେ ଥିବା ସମସ୍ତ ବାର୍‌ ଓ ମଦ ଦୋକାନ ମଧ୍ୟ ଆସନ୍ତା ସପ୍ତାହରେ ୫ ଦିନ ପାଇଁ ବନ୍ଦ ରହିବ । ସେପ୍ଟେମ୍ବର ୨୬ ତାରିଖ ରାତି ସାଢ଼େ ୬ଟାରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ମଦ ଦୋକାନ ବନ୍ଦ ରଖାଯିବ । ଏହାପରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ସବୁ ସ୍ଥାନରେ ମଦ ଦାକାନ ବନ୍ଦ ରହିବ ।

ଉପନିର୍ବାଚନ ଫଳାଫଳ ଘୋଷଣା ଅବସରରେ ଭବାନୀପୁରର ସମସ୍ତ ମଦ ଦୋକାନ ଦୁଇ ଦିନ ଲାଗି ବନ୍ଦ ରହିବ ।ଏହା ଭିତରେ ୧ ତାରିଖରେ କେବଳ ବାର୍‌ଗୁଡ଼ିକ ଖୋଲା ରହିବ । ଏହି ସପ୍ତାହକ ଭିତରେ ମଦୁଆମାନେ କେବଳ ଏହି ଗୋଟିଏ ଦିନ ସହଜରେ ମଦ କିଣି ପିଇପାରିବେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ନିଉ ମାର୍କେଟ୍‌, ପାର୍କ ଷ୍ଟ୍ରିଟ୍‌, କାଳିଘାଟ, ଭବାନୀପୁର, ଆଲିପୁର, ଚେତଲା, ୱାଟଗଞ୍ଜ, ଏକବାଲପୁର, ସେକ୍ସପିୟର ସରଣୀ, ବାବୁବଜାର ଏବଂ ଅନ୍ୟ ଅଞ୍ଚଳର ସମସ୍ତ ବାର୍‌ ବନ୍ଦ ରହିବ । ଇଷ୍ଟ୍‌ ଇଣ୍ଡିଆର ହୋଟେଲ ଓ ରେଷ୍ଟୁରାଣ୍ଟ୍‌ ଆସୋସିଏସନର ସଭାପତି ସୁଦେଶ ପୋଦ୍ଦାର କହିଛନ୍ତି, ଏହି ନିର୍ଦ୍ଦେଶାବଳୀ ଯୋଗୁଁ ମଦ ବ୍ୟବସାୟ ମାନ୍ଦା ହେବ । କିନ୍ତୁ ଏହି ନିୟମ ମାନିବା ପାଇଁ ସମସ୍ତେ ବାଧ୍ୟ ।

Leave a Reply

Your email address will not be published. Required fields are marked *

Back to top button