ଚନ୍ନିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୭ ନୂଆ ମୁହଁ

ଚଣ୍ଡିଗଡ଼ : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍ ଚଣ୍ଡିଗଡ଼ ରାଜଭବନରେ କଂଗ୍ରେସ ବିଧାୟକ ବ୍ରହ୍ମା ମହିନ୍ଦ୍ରା, ଭରତ ଭୂଷଣ, ମନପ୍ରୀତ ବାଦଲ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ପର୍ଗତ ସିଂହ, ସୁଖବିନ୍ଦର ସକାରିଆ, ବିଜେନ୍ଦ୍ର ସିଂହ ସିଙ୍ଗଲା, ରାଜକୁମାର ଭେର୍କା, ରାଣା ଗୁରଜିତ୍ ସିଂହ, ସଂଗତ ସିଂହ ଗିଲଜିଆନ୍, ରଣଦୀପ ସିଂହ ନାଭା, ଅରୁଣା ଚୌଧୁରୀ, ରାଜିଆ ସୁଲତାନା, ଗୁରକିରତ୍ କୋଟଲୀ, ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଚନ୍ନିଙ୍କ ନୂଆ ଟିମରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନପ୍ରୀତ ସିଂହ ବାଦଲ, ବ୍ରହ୍ମା ମହିନ୍ଦ୍ରା, ଅରୁଣା ଚୌଧୁରୀ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ସୁଖବିନ୍ଦର ସିଂହ ସକାରିୟା, ରାଜିଆ ସୁଲତାନା, ବିଜେନ୍ଦ୍ର ସିଂହ ସିଙ୍ଗଲା, ଭରତ ଭୂଷଣ ଆଶୁ ପୂର୍ବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଏହାବ୍ୟତୀତ ୭ ନୂଆ ମୁହଁ ରାଣା ଗୁରଜିତ୍ ସିଂହ, ରଣଦୀପ ସିଂହ ନାଭା, ରାଜ କୁମାର ଭେର୍କା, ସଂଗତ ସିଂହ ଗିଲଜିଆନ୍, ପରଗତ ସିଂହ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଓ ଗୁରକିରତ ସିଂହ କୋଟଲୀଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି।

ନୂଆ ମନ୍ତ୍ରିଙ୍କୁ ବିଭାଗ ବଣ୍ଟଡ଼ ଆଜି ବିଳମ୍ବିତ ସନ୍ଧ୍ୟାରେ ହୋଇପାରେ। ଶପଥ ଗ୍ରହଣ ସମାରୋହ ପରେ ପାର୍ଟିର ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ହରିଶ ରାୱତ କହିଛନ୍ତି ମୁଁ ନୂଆ ମନ୍ତ୍ରୀ, ପଞ୍ଜାବର ବାସିନ୍ଦା ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ନୂଆ ଆରମ୍ଭ ପାଇଁ ବଧେଇ ଜଣାଉଛି। ଯେଉଁ ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ ଦଳ ସେମାନଙ୍କ ବିଷୟରେ କିଛି ଅଲଗା ଚିନ୍ତା କରିଛି। ସେମାନଙ୍କୁ ପାର୍ଟି ଓ ସରକାରଙ୍କ ବ୍ୟବସ୍ଥାରେ ଦାୟିତ୍ୱ ପ୍ରଦାନ କରାଯିବ। କାହାରିକୁ ନିରାଶ ହେବାକୁ ପଡ଼ିବ ନାହିଁ। ନୂଆ କ୍ୟାବିନେଟରେ କ୍ୟାପଟେନ ଅମରିନ୍ଦରଙ୍କ ନିକଟତର ଥିବା ୫ ମନ୍ତ୍ରୀଙ୍କୁ ସ୍ଥାନ ମିଳିନାହିଁ। ସେମାନେ ହେଲେ ସାଧୁ ସିଂହ ଧର୍ମସୋତ୍, ବଲବୀର ସିଦ୍ଧୁ, ରାଣା ଗୁରମିତ ସୋଢି, ଗୁରପ୍ରୀତ କାଙ୍ଗାର ଓ ସୁନ୍ଦର ଶ୍ୟାମ ଆରୋରା।

Leave a Reply

Your email address will not be published. Required fields are marked *

Back to top button