କାବୁଲ ୟୁନିଭର୍ସିଟିକୁ ଯୁବତୀଙ୍କୁ ମନା

ନୂଆଦିଲ୍ଲୀ : ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିବା ପରେ ସରକାର ଗଠନ କରିଛି ତାଲିବାନ। କିନ୍ତୁ ଏହି ଆତଙ୍କୀ ସଂଗଠନର ପ୍ରକୃତ ଚେହେରା ବିଶ୍ୱ ସାମ୍ନାକୁ ଆସୁଛି। କାବୁଲ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏବେ ତାଲିବାନ ଦ୍ୱାରା ନିଯୁକ୍ତ ନୂଆ କୁଳପତି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟରେ ଇସଲାମିକ ପରିବେଶ ସୃଷ୍ଟି ନହେବା ପର୍ଯ୍ୟନ୍ତ ଯୁବତୀ ଓ ମହିଳାଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।

ରିପୋର୍ଟରେ ନୂଆ କୁଳପତି ମହମ୍ମଦ ଅଶରଫ ଘାେରାତଙ୍କ ଟ୍ୱିଟକୁ ଦର୍ଶାଇ କୁହାଯାଇଛି ଯେପର୍ଯ୍ୟନ୍ତ ଇସ୍ଲାମିକ ବାତାବରଣ ସୃଷ୍ଟି ନ ହେଉଛି ସେପର୍ଯ୍ୟନ୍ତ ମହିଳାଙ୍କୁ କ୍ଲାସ କରିବା ପାଇଁ କିମ୍ବା କାମ କରିବାକୁ କାବୁଲ ୟୁନିଭର୍ସିଟି ଆସିବାକୁ ଅନୁମତି ନାହିଁ। ୧୯୯୦ରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ ରାଜତ୍ୱ କରିଥିଲା ସେତେବେଳେ ମହିଳାଙ୍କୁ କୌଣସି ପୁରୁଷ ସମ୍ପର୍କୀୟଙ୍କ ବିନା ବାହାରକୁ ଯିବାକୁ ଅନୁମତି ନଥିଲା। ଉଲଂଘନ କଲେ ମହିଳାଙ୍କୁ ମାଡ ମରାଯାଉଥିଲା।

ନ୍ୟୁୟର୍କ ଟାଇମ୍ସ ସହ କଥା ହୋଇ ଜଣେ ମହିଳା ଅଧ୍ୟାପକ କହିଛନ୍ତି ଏହି ପବିତ୍ର ସ୍ଥାନରେ କିଛି ଅଣ-ଇସଲାମିକ ନାହିଁ। ଅଧ୍ୟକ୍ଷ, ଶିକ୍ଷକ, ଇଞ୍ଜିନିୟର ଓ ମୁଲ୍ଲାମାନେ ମଧ୍ୟ ତାଲିମପ୍ରାପ୍ତ। କାବୁଲ ବିଶ୍ୱବିଦ୍ୟାଳୟ ହେଉଛି ଆଫଗାନିସ୍ତାନ ରାଷ୍ଟ୍ରର ଘର। ନିକଟରେ ତାଲିବାନ ପିଏଚଡି ଡିଗ୍ରୀଧାରୀ କୁଳପତିଙ୍କୁ ବଦଳାଇ ବିଏ ଡିଗ୍ରୀ ହାସଲ କରିଥିବା ମହମ୍ମଦ ଅଶରଫଙ୍କୁ ଏଠାରେ କୁଳପତି ଭାବେ ନିଯୁକ୍ତ କରିଛି। ତାଲିବାନର ଏହି ନିଷ୍ପତ୍ତି ପରେ କାବୁଲ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଶିକ୍ଷକ ଓ ଅଧ୍ୟାପକ ଇସ୍ତଫା ଦେଇ ଦେଇଥିଲେ। କେବଳ ସେତିକି ନୁହେଁ ପୂର୍ବରୁ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ବାରହାନୁଦ୍ଦିନ ରାବାନୀଙ୍କ ନାମରେ ନାମିତ ଏକ ବିଶ୍ୱବିଦ୍ୟାଳୟର ନାମକୁ ତାଲିବାନ କାବୁଲ ଶିକ୍ଷା ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିଥିଲା।

Leave a Reply

Your email address will not be published. Required fields are marked *

Back to top button