କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ରାମ ମନ୍ଦିର

ନୂଆଦିଲ୍ଲୀ : କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ। ରାମଲାଲାଙ୍କ ଉପରେ ପଡିବ ସକାଳର ପ୍ରଥମ କିରଣ। ସୂର୍ଯ୍ୟ କିରଣରେ ଝଟକିବ ଅଯୋଧ୍ୟାର ରାମମନ୍ଦିର ଗର୍ଭଗୃହ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ଏନେଇ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ୨୦୨୩ ଡିସେମ୍ବର ସୁଦ୍ଧା ଶ୍ରୀରାମମନ୍ଦିର ଗର୍ଭଗୃହ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଆଇଆଇଟି ମୁମ୍ବାଇ ଓ ଏନଆଇଟି ରାଉରକେଲା ସମେତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବିଲଡିଂ କନଷ୍ଟ୍ରକସନ୍ର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଭୂକମ୍ପ ଜୋନ୍ ଭିତରେ ଉତ୍ତରପ୍ରଦେଶ ଆସୁଥିବା ବେଳେ ମନ୍ଦିର ପାଖରେ ବୋହି ଯାଉଛି ସରଜୁ ନଦୀ। ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ୪ଶହ ଫୁଟ ଲମ୍ବା ଓ ୩ଶହ ଫୁଟ ଓସାର ପ୍ଲିନ୍ଥ ହେଉଛି। ଯାହା ଉପରେ ୩୬୫ ଫୁଟ ଲମ୍ବା ଓ ୧୭୧ଫୁଟ ଉଚ୍ଚ ମନ୍ଦିର ନିର୍ମାଣ ହେବ। ଅଯୋଧ୍ୟା ରାମମନ୍ଦିର ଭାରତୀୟ ବିଜ୍ଞାନ ଓ କଳାର ସମିଶ୍ରଣ ପ୍ରସ୍ତୁତ କରିବ। ଏଥିପାଇଁ ଇଞ୍ଜିନିୟରମାନେ ସବୁ ଦିଗକୁ ଲକ୍ଷ୍ୟ ରଖି ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି। ଆଉ ବ୍ଲାକ୍ ପାଗୋଡା କୋଣାର୍କର ଢାଞ୍ଚା ମନରେ ରଖିଛନ୍ତି।

ସୂଚନାଯୋଗ୍ୟ ଆଜିକୁ ୮ଶହ ବର୍ଷ ତଳେ ନିର୍ମାଣ ହୋଇଥିଲା କୋଣାର୍କ ମନ୍ଦିର। ଏହା ଭାରତୀୟ ପ୍ରାଚୀନ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଜ୍ୟାମିତି ଓ କଳା ସମନ୍ଵୟର ପ୍ରତୀକ ଭାବରେ ଉଭା ହୋଇଛି। ମୁଖ୍ୟ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ ହେଁ ଭଗ୍ନ ଅବସ୍ଥାରେ ରହିଛି କେବଳ ନାଟମନ୍ଦିର ଓ ମୁଖଶାଳା। ମୁଖଶାଳାକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଦର୍ଶକଙ୍କୁ କରୁଛି ଆଶ୍ଚର୍ଯ୍ୟ। ମନ୍ଦିର କଳା ଉପରେ ଗବେଷଣା କରୁଥିବା ବିଜ୍ଞାନୀଙ୍କୁ ତାଜୁବ ହେଉଛନ୍ତି।

କୋଣାର୍କ ଚକ ଗୋଟିଏ ଗୋଟିଏ ସୂର୍ଯ୍ୟ ଘଡି ଭାବରେ ତିଆରି କରାଯାଇଥିଲା। ନାଟମନ୍ଦିର ଓ ମୁଖାଶାଳା ଦେଇ ଗର୍ଭଗୃହ ଭିତରେ ପଡୁଥିଲା ସୂର୍ଯ୍ୟଙ୍କ ପ୍ରଥମ କିରଣ। କୁହାଯାଏ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ଲାଗିଥିବା ଅମୂଲ୍ୟ ହୀରା ସୂର୍ଯ୍ୟକିରଣରେ ଝଲସି ଉଠିବା ସହ ଏକ ଅପୂର୍ବ ଦୃଶ୍ୟ ତିଆରି କରୁଥିଲା। ଇତିହାସ ଗର୍ଭରେ କୋଣାର୍କର ମୁଖ୍ୟ ମନ୍ଦିର ନଷ୍ଟ ହୋଇ ଯାଇଛି ସତ ହେଲେ ଆଧୁନିକ ସ୍ଥାପତ୍ୟ ପାଇଁ ପାଲଟିଯାଇଛି ପ୍ରେରଣା। କୋଣାର୍କ ମନ୍ଦିର ଢାଞ୍ଚାରେ ଅନୁପ୍ରାଣିତ ହୋଇ ଶ୍ରୀରାମନ୍ଦିର ନିର୍ମାଣ କଥା ବିଚାର କରାଯିବା ଏହାର ଉଦାହରଣ ହୋଇଛି।

Leave a Reply

Your email address will not be published. Required fields are marked *

Back to top button