ବାଉନସର୍‌ ଗ୍ୟାଙ୍ଗ୍‌କୁ ବାନ୍ଧିଲା ପୋଲିସ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରେ ଦାଦାଗିରି ଦେଖାଉଥିବା ବାଉନସର ଗ୍ୟାଙ୍ଗକୁ କମିଶନରେଟ ପୋଲିସ ବାନ୍ଧିଛି। ବିବାଦୀୟ ଜମିକୁ ଅକ୍ତିଆର ପାଇଁ ଏହି ଗ୍ୟାଙ୍ଗ ସୁପାରୀ ନେଉଥିଲା

ଖବର ଅନୁଯାୟୀ ନୟାପଲ୍ଲୀ ଥାନା ଅଞ୍ଚଳରେ ୨ଟି ଦୋକାନ ଘର ଭାଙ୍ଗିବା ସହିତ ଗୁଣ୍ଡାଗର୍ଦ୍ଦି କରିବା ଅଭିଯୋଗରେ ଗ୍ୟାଙ୍ଗର ୭ ଜଣ ବାଉନସରଙ୍କୁ ପୋଲିସ ଗିରଫ କରିଛି। ଗତ ୨୪ ତାରିଖରେ ଗ୍ୟାଙ୍ଗ ସଦସ୍ୟମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିବା ସହ ଲୁଟପାଟ କରିଥିଲେ। ଏପରିକି ଜେସିବି ଲଗାଇ ସେମାନେ ଦୋକାନକୁ ମାଟିରେ ମିଶାଇ ଦେଇଥିଲେ।

ଗ୍ୟାଙ୍ଗର ମୁଖ୍ୟ ନକୁଳ ମହାକୁଡ଼।ଙ୍କ ନାଁରେ ରହିଛି ଏକାଧିକ ମାମଲା। ସେ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ତା’ ନାମରେ ଏନଏସଏ ମଧ୍ୟ ଲାଗିଥିଲା। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ନାଁରେ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ୨୫ ତାରିଖ ଦିନ ନୟାପଲ୍ଲୀ ଥାନାରେ ଗୋଟିଏ କେସ୍‌ କରାଯାଇଥିଲା। ଅଭିଯୋଗକାରୀ କହିଥିଲେ ୨୪ ତାରିଖ ରାତିରେ ଆମ୍ବାସୀ ହୋଟେଲ ପାଖରେ ଥିବା ତାଙ୍କ ଦୋକାନକୁ ଜେସିବି ଲଗାଇ କିଛି ଲୋକ ଭାଙ୍ଗି ଦେଇଥିଲେ। ଏଥିସହ ଦୋକାନରେ କାମ କରୁଥିବା ଲୋକଙ୍କ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଲୁଟ କରିଥିଲେ।

ଗିରଫ ଅନ୍ୟ ୬ ଜଣ ହେଲେ ଆଶିଷ ଜେନା, ଦୀପକ କୁମାର ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ କୁମାର ବଳିଆର ସିଂହ ଓ ଆଶିଷ କୁମାର ରାୟ। ତେବେ ଘଟଣା ପଛରେ ଥିବା ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଘବ ଜେନାକୁ ଧରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଛି। ତା’ ଘରେ ରେଡ୍‌ କରାଯାଇଥିଲା। ହେଲେ ଆଗୁଆ ଖବର ପାଇ ସେ ଖସି ଯାଇଛି।

Leave a Reply

Your email address will not be published. Required fields are marked *

Back to top button