୪ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ ହେଲା ବିଧାନସଭା

ଭୁବନେଶ୍ଵର : ୪ଟି କାର୍ଯ୍ୟଦିବସ ପୂର୍ବରୁ ଅଟକିଛି ବିଧାନସଭାର ବଜେଟ୍ ଅଧିବେଶନ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ବିଧାନସଭା ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଫେବୃୟାରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ବସିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା। ମୋଟ୍ ୨୭ଦିନ ଥିଲା କାର୍ଯ୍ୟଦିବସ। କିନ୍ତୁ ଦୁଇଟି ପର୍ଯ୍ୟାୟରେ ମୋଟ୍ ୨୩ଦିନ ବୈଠକ ବସିଛି। ଏହି ଅଧିବେଶନ କାଳରେ ଗୃହରେ ୬ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହୋଇଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ, ଜାଲ ସାର୍ଟିଫିକେଟ ରାକେଟ, ଫାଇଭ-ଟି ବ୍ୟବସ୍ଥା, ବାଣିକ୍ କୋଚିଂ ସେଂଟର ଉପରେ ରେଡ୍ , ମହାନଦୀ ଜଳ ବିବାଦ, କେନ୍ଦ୍ର ସରକାର ଗରିବଙ୍କ ଚାଉଳ କୋଟା କାଟିବା ଆଦି ପ୍ରସଙ୍ଗ ଗୃହକୁ କରିଥିଲା ସରଗରମ। ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ।

ଏହି ଅଧିବେଶନ କାଳରେ ମୋଟ ୬ଟି ବିଲ୍ ଆଗତ ହୋଇଥିବା ବେଳେ ମାତ୍ର ଗୋଟିଏ ବିଲ୍ (ଓଡ଼ିଶା ବ୍ୟୟମଞ୍ଜୁରୀ ବିଲ-୨୦୨୩) ପାରିତ ହୋଇଛି । ଅନ୍ୟ ୩ଟି ଯଥା- ଓଡ଼ିଶା ଆପାର୍ଟମେଂଟ ଓନରସିପ୍ ଆଣ୍ଡ ମ୍ୟାନେଜମେଂଟ ବିଲ-୨୦୨୩, ଓଡ଼ିଶା ପଛୁଆବର୍ଗ ଆୟୋଗ (ସଂଶୋଧନ) ବିଲ-୨୦୨୩, ଓଡ଼ିଶା ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା (ଓଡ଼ିଶା ସଂଶୋଧନ) ବିଲ-୨୦୨୩ ପାରିତ ହୋଇପାରିନାହିଁ। ଶୁକ୍ରବାର ଦ୍ୱିତୀୟାର୍ଦ୍ଧରେ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏକ ମୋସନ ଆଣିବା ପରେ ମନ୍ତ୍ରୀ ଟୁକୁନି ସାହୁ (ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ତରଫରୁ), ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ୩ଟି ବିଲକୁ ଫେରସ୍ତ କରିନେବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ବାଚସ୍ପତି ଗ୍ରହଣ କରିଥିଲେ।

ଏହି ଅଧିବେଶନ କାଳରେ ନବ ଦାସ ହତ୍ୟା ମାମଲାର ତଦନ୍ତ ପ୍ରସଙ୍ଗରେ ଆଗତ ଗୋଟିଏ ମୋସନ୍ ଉପରେ ଆଲୋଚନା ସହ ଗୋଟିଏ ପିଟିସନ୍ ଆଗତ ହୋଇଛି । ଏହାଛଡା ୧୨ଟି ମୁତଲବୀ ନୋଟିସ ମଧ୍ୟରୁ ୯ଟି ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ ୬ଟି ବିବୃତ୍ତି ଗୃହରେ ଘୋଷଣା ହୋଇଛି । ୩ଟି ସିଏଜି ରିପୋର୍ଟ ଓ ୧୨ଟି ବାର୍ଷିକ ରିପୋର୍ଟ ଗୃହରେ ଉପସ୍ଥାପିତ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆଗତ ଓ ପାରିତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button