୧୦ ବରିଷ୍ଠ ଆଇଏଏସଙ୍କୁ ଆକାଂକ୍ଷା ଜିଲ୍ଲା ଦାୟିତ୍ୱ

ଭୁବନେଶ୍ଵର : ଓଡ଼ିଶାରେ ମୋଟ ୧୦ଟି ଆକାଂକ୍ଷା ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡିକର ଇନଚାର୍ଜ ଭାବେ ୧୦ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସେମାନେ ସମ୍ପୃକ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ବିତ୍ତୀୟ ସମାବେଶ ଓ ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମି ଭଳି ୫ଟି କ୍ଷେତ୍ରର ୪୯ଟି ମାନଦଣ୍ଡ ପ୍ରଦର୍ଶନକୁ ତଦାରଖ କରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମାସିକ, ତ୍ରୈମାସିକ ଓ ବାର୍ଷିକ ଭିତ୍ତିରେ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ବଲାଙ୍ଗିର, ଶ୍ରମ ସଚିବ ଆର.ସନ୍ଥଗୋପାଳନଙ୍କୁ ଢେଙ୍କାନାଳ, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଗଜପତି, ପଂଚାୟତିରାଜ ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ କଳାହାଣ୍ଡି, ମତ୍ସ୍ୟ ଓ ପଶୁସମ୍ପଦ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କନ୍ଧମାଳ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ସମବାୟ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ାଙ୍କୁ ମାଲକାନଗିରି, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ନୂଆପଡ଼ା ଓ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାୟଗଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି।

ଏହି ଅଫିସରମାନେ ନିୟମିତ ଜିଲ୍ଲା ଗସ୍ତ କରି ଏସବୁ ଜିଲ୍ଲାର ବିଭିନ୍ନ ମାନଦଣ୍ଡର ନିୟମିତ ସମୀକ୍ଷା କରିବେ । ସବୁଦିନିଆ ରାସ୍ତା, ସବୁ ଘରକୁ ଶୌଚାଳୟ, ପିଇବା ପାଣି, ବିଦ୍ୟୁତ ସଂଯୋଗ, ଛାତ ଘର , ପଂଚାୟତକୁ ଇଂଟରନେଟ୍ ସୁବିଧା ଆଦି ଭଳି ମୌଳିକ ସୁବିଧା ସହ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ବିଭିନ୍ନ ସରକାରୀ ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ ଆଦିର ମଧ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button