ହନୁମାନ ଜୟନ୍ତୀ ରାଲିରେ ହିଂସା, ୧୦ ପୋଲିସ ଆହତ

ସମ୍ବଲପୁର : ହନୁମାନ ଜୟନ୍ତୀ ବାଇକ ରାଲି ଉପରକୁ ପଥର ମାଡ଼। ସହରର ଧନୁପାଲି ଛକରେ ଏହି ଘଟଣା ଘଟିଥିବା ବେଳେ ଅତିରିକ୍ତ ଏସପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ ପୋଲିସ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ହନୁମାନ ଜୟନ୍ତୀ ଉପଲକ୍ଷେ ଗୋବିନ୍ଦ ତଲା ଛକରୁ ବାହାରିଥିଲା ବାଇକ ଶୋଭାଯାତ୍ରା। ଏହା ଜେଲ୍ ଛକ, ଧନୁପାଲି ଥାନା ଛକ, ମୋତିଝରଣ ଛକ, ସାକ୍ଷୀପଡ଼ା, ଲକ୍ଷ୍ମୀ ଟକିଜ ଓ ମୋଦିପଡ଼ା ଦେଇ ସହର ପରିକ୍ରମା କରିବାର ଥିଲା। କିନ୍ତୁ ଧନୁପାଲି ଥାନା ଛକରେ ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ପଥର ମାଡ଼। ମସଜିଦ୍ ପାର୍ଶ୍ୱରୁ ଗୋଟିଏ ଗୋଷ୍ଠୀ ଓ ଅପରପାର୍ଶ୍ୱରୁ ଅର୍ଥାତ ବାଇକ୍ ରାଲିରେ ଯାଉଥିବା ଗୋଷ୍ଠୀ ପଥର ମାଡ଼ କରିଥିଲେ।

ଏହାଛଡା ଉତ୍ତ୍ୟକ୍ତ ଲୋକେ ଦୋକାନ ସହ କାର୍ ଓ ବାଇକ ଜାଳି ଦେଇଛନ୍ତି। ଯାହାକୁ ନେଇ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲା ସ୍କୁଲ ଛକରୁ ଭିଜିଲାନ୍ସ ଅଫିସ୍‌ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିବା ବେଳେ ଶାନ୍ତି ରକ୍ଷା ପାଇଁ ପୋଲିସ ପକ୍ଷରୁ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି। ତେବେ ପଥର ମାଡରେ ୧୦ ପୋଲିସ ଆହତ ହୋଇଥିବା ବେଳେ ଧନୁପାଲି ଆଇଆଇସି ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଣାପଡିଛି।

Leave a Reply

Your email address will not be published. Required fields are marked *

Back to top button