କର୍ଣ୍ଣାଟକ ନିର୍ବାଚନ : ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା

ବେଙ୍ଗାଲୁରୁ : କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ଏଥିରେ ରହିଛି ୨୩ ପ୍ରାର୍ଥିଙ୍କ ନାଁ। ପୂର୍ବରୁ ୧୮୯ ଜଣଙ୍କ ନାମ ଘୋଷଣା ହୋଇଥିଲା। ପ୍ରାର୍ଥି ତାଲିକା ଅନେକ ବିଧାୟକଙ୍କ ଟିକଟ କଟିବାରୁ କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ସୃଷ୍ଟି ହୋଇଛି।

ଆସନ୍ତା ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ଭୋଟ ଗ୍ରହଣ ହେବ। ଦୁଇଦିନ ପରେ ଅର୍ଥାତ ୧୩ ତାରିଖରେ ଗଣତି ହେବ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ ନିର୍ବାଚନରେ ଭାଗ ନେଇଥିବା ରାଜନୈତିକ ଦଳ ଗୁଡିକ ପକ୍ଷରୁ ଆରମ୍ଭ ହୋଇଛି ଜୋର୍‌ଦାର ପ୍ରସ୍ତୁତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଦୁଇଟି ପର୍ଯ୍ୟାୟରେ ତାଲିକା ଘୋଷଣା ହୋଇଥିଲେ ହେଁ ଆହୁରି ୧୨ଟି ଆସନ ପାଇଁ ପ୍ରାର୍ଥିଙ୍କ ନାମ ପ୍ରକାଶ ପାଇନାହିଁ। ପ୍ରଥମ ତାଲିକାରେ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେତ୍ତାରଙ୍କର ଟିକେଟ୍ କଟିଛି। ଦ୍ୱିତୀୟ ତାଲିକାରେ ୨ଜଣ ମହିଳାଙ୍କୁ ସାମିଲ କରାଯାଇଛି। କୋଲାର ଗୋଲ୍ଡ ଫିଲ୍ଡରୁ ଅଶ୍ୱିନୀ ସମ୍ପାଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ସିଦ୍ଧରମେୟାଙ୍କ ବିରୋଧରେ ବରୁଣାରୁ ନିର୍ବାଚନ ଲଢ଼ିବେ ଭି ସୋମନ୍ନା। ସେ ତାଙ୍କ ପୁଅଙ୍କ ପାଇଁ ଗୁବ୍ବୀରୁ ନିର୍ବାଚନ ଲଢିବାକୁ ଟିକେଟ୍ ମାଗିଥିଲେ କିନ୍ତୁ ଦଳ ଟିକେଟ୍ ଦେଇନାହିଁ। ଗୁବ୍ବୀରୁ ଏସ୍‌ଡି ଦିଲୀପ କୁମାର ନିର୍ବାଚନ ଲଢିବେ।

ଅନ୍ୟପକ୍ଷରେ ଟିକେଟ୍ ନ ମିଳିବାରୁ ପୂର୍ବତନ ଉପମୁଖ୍ୟାମନ୍ତ୍ରୀ ଲକ୍ଷ୍ମଣ ସାବତୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେହିପରି ବିଜେପି ପ୍ରାର୍ଥି ତାଲିକାରୁ ବାଇନ୍ଦୁର ବିଧାୟକ ସୁକୁମାର ସେଟ୍ଟୀଙ୍କ ଟିକେଟ୍ କଟିଥିବା ବଳେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କୁ ଚନ୍ନାଗିରିରୁ ବାଦ୍ ଦିଆଯାଇଛି। ଦେବାଙ୍ଗେରି ଉତ୍ତର ବିଧାୟକ ରବିନ୍ଦ୍ର ନାଥ ଓ ହାବେରୀ ବିଧାୟକ ନେହରୁ ଓଲେକାରଙ୍କୁ ଏଥର ଟିକେଟ୍ ମିଳିନି। ଏଭଳି ପରିସ୍ଥିତିରେ ଜଣେ ନେତା ଦଳ ଛାଡ଼ିସାରିଥିବା ବେଳେ ଆଉ କିଛି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Back to top button