ସଂଖ୍ୟାଲଘୁଙ୍କୁ ବିଜେପି ନେତାଙ୍କ ଝିଅ ବାହାହେଲେ ପ୍ରେମ, ଆଉ କେହି ହେଲେ ଜିହାଦ୍‌

ବିଳାସପୁର : ବେମେତାରା ଜିଲ୍ଲାର ବୀରଣପୁର ଗ୍ରାମରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରୁ ବିଜେପି ରାଜନୈତିକ ଫାଇଦା ହାସଲ କରୁଛି। ଏହି ଅଭିଯୋଗ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌। ସେ କହିଛନ୍ତି ବିଜେପି ନେତାଙ୍କ ଝିଅ ସଂଖ୍ୟାଲଘୁଙ୍କୁ ବାହା ହେଲେ ସେମାନେ ପ୍ରେମ କହୁଛନ୍ତି କିନ୍ତୁ ଅନ୍ୟ କେହି ବାହା ହେଲେ ଜିହାଦ୍‌ କୁହାଯାଉଛି।

ଗତ ସପ୍ତାହରେ ବୀରଣପୁରରେ ଦୁଇ ଭିନ୍ନଧର୍ମାବଲମ୍ବୀଙ୍କ ବିବାହକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ବୁଧବାର ବିଳାସପୁରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବଘେଲ୍‌ କହିଲେ ବନ୍ଦ ଡାକରା ଦେବା ପୂର୍ବରୁ ବିଜେପି ଘଟଣାକୁ ଯାଞ୍ଚ କିମ୍ବା ରିପୋର୍ଟ ସଂଗ୍ରହ କରି ନଥିଲା। ପ୍ରକୃତ କଥା ହେଲା ଦୁଇଜଣ ପିଲାଙ୍କ ମଧ୍ୟରେ ମାଡ଼‌ଗୋଳ ହେବା ପରେ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖର ବିଷୟ। ହେଲେ ଏଥିରୁ ବିଜେପି ରାଜନୈତିକ ଫାଇଦା ହାସଲ କରୁଛି।

ସେ କହିଲେ ସେମାନେ ଲଭ୍‌ ଜିହାଦ୍‌ କଥା କହୁଛନ୍ତି। ବରିଷ୍ଠ ବିଜେପି ନେତାମାନଙ୍କ ଝିଅମାନେ ସଂଖ୍ୟାଲଘୁଙ୍କୁ ବିବାହ କରିଥିବା କଥା ଉଠାଇଲେ ତାହା ଲଭ୍‌ ଜିହାଦ୍‌ ବୋଲି କୁହାଯାଇ ପାରିବ ନାହିଁ। ଛତିଶଗଡ଼ର ସବୁଠୁ ବଡ଼ ବିଜେପି ନେତାଙ୍କ ଝିଅ କୁଆଡ଼େ ଯାଇଛି ପଚାରନ୍ତୁ। ତାହା କ’ଣ ଲଭ୍‌ ଜିହାଦ୍‌ ନୁହେଁ ? ସେମାନଙ୍କ ଝିଅ ଏମିତି କଲେ ‘ପ୍ରେମ’ କିନ୍ତୁ ଅନ୍ୟ କାହା ଝିଅ ଏପରି କଲେ ‘ଜିହାଦ୍‌’। ଏସବୁ ବନ୍ଦ କିରବା ପାଇଁ ବିଜେପି କ’ଣ କରିଛି ? ସେମାନେ ଏଥିରୁ ରାଜନୈତିକ ଫାଇଦା ଚାହୁଁଛନ୍ତି। ହେଲେ ସେମାନଙ୍କ ଜ୍ଵାଇଁମାନଙ୍କୁ ମନ୍ତ୍ରୀ ଓ ସାଂସଦ କରୁଛନ୍ତି ବୋଲି ବଘେଲ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button