ରାଜନୀତିକ ବନ୍ଦୀଙ୍କୁ ମିଳିବ ମଧୁବାବୁ ପେନସନ
ଭୁବନେଶ୍ଵର : ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ ବା ମିସା ଆଇନ ବଳରେ ଗିରଫ ରାଜନୀତିକ ବନ୍ଦୀମାନଙ୍କୁ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ଦେବେ। ଏଥିପାଇଁ ରାଜ୍ୟ ସରକାର ମଧୁବାବୁ ପେନସନ୍ ଯୋଜନା ରୁଲସ-୨୦୦୮ରେ ସଂଶୋଧନ କରିଛନ୍ତି।
ଖବର ଅନୁଯାୟୀ ରାଜ୍ୟ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଗତକାଲି ମଧୁବାବୁ ପେନସନ ଯୋଜନାର ରୁଲସ-୨୦୦୮ର ସଂଶୋଧନ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକାରେ ମିସା ଆଇନରେ ଗିରଫ ବ୍ୟକ୍ତିମାନଙ୍କୁ ସାମିଲ କରିବାର ପ୍ରାବଧାନ ରଖାଯାଇଛି। ଏହି ରାଜନୀତିକ ବନ୍ଦୀମାନେ ଆବଶ୍ୟକ ଦସ୍ତାବିଜ ଦେଇ ମାସିକ ଭତ୍ତା ବା ପେନସନ୍ ପାଇପାରିବେ। ସେମାନଙ୍କ ପାଇଁ ରୁଲସ-୬(ଖ) (ପରିବାରର ଆୟ ସୀମା) ଓ ରୁଲ-୨୪ (ଅପରାଧିକ ମାମଲାରେ ଦୋଷୀ) ପ୍ରଯୁଜ୍ୟ ହେବନି ବୋଲି ସଂଶୋଧିତ ନିୟମରେ ଉଲ୍ଲେଖ ରହିଛି। ଯାହାଫଳରେ ସେମାନଙ୍କୁ ମଧୁବାବୁ ପେନସନ୍ ସ୍କିମରେ ମାସିକ ୫୦୦ରୁ ସର୍ବାଧିକ ୯୦୦ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳିବ।
ଅନ୍ୟପକ୍ଷରେ ମିସା ଆଇନ ବଳରେ ଗିରଫ ରାଜନୀତିକ ବନ୍ଦୀଙ୍କ ତାଲିକା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ମଗା ଯାଇଥିଲେ ମଧ୍ୟ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ତାହା ଦେଇନାହାନ୍ତି। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକରେ ମିସା ଆଇନ ବଳରେ ଗିରଫ ରାଜନୀତିକ ବନ୍ଦୀମାନଙ୍କୁ ୧୦ହଜାରରୁ ୨୫ହଜାର ଟଙ୍କାର ଆର୍ଥିକ ସହାୟତା ଦେଉଥିବା ଜଣାପଡ଼ିଛି।