ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିକଲା ବିଜେପି

ଭୁବନେଶ୍ଵର : ଦୁଷ୍କର୍ମ ଅଭିଯୁକ୍ତ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ତୁରନ୍ତ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ କରାଯାଉ ବୋଲି ବିଜେପି ଦାବି କରିଛି।

ଶୁକ୍ରବାର ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିରେ ୨୦ବର୍ଷ ଧରି କାର୍ଯ୍ୟ କରିଥିବା ଜଣେ ନେତ୍ରୀ ସଂଯୁକ୍ତା ମହଲ ରାଜ୍ୟ ସରକାରଙ୍କ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀର ଅଭିଯୋଗ ଆଣିଛନ୍ତି। ସେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ କରିବା ପରେ ତାଙ୍କର ଡାକରୀ ମାଇନା ହୋଇଥିଲା। ଯାହା ପ୍ରମାଣିତ କରୁଛି ସେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତିି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ପୋଲିସ ଏଯାଏଁ ଘଟଣା ଉପରେ କିଛି ସ୍ପଷ୍ଟତା ଆଣିନାହିଁ କି ଏଫଆଇଆରକୁ ଭିତ୍ତିକରି ମନ୍ତ୍ରୀଙ୍କୁ ପଚରାଉଚରା କରିନାହିଁ। ବିଜେଡିର ମନ୍ତ୍ରୀ ବୋଲି ସେ କ’ଣ ଆଇନରୁ ଊର୍ଦ୍ଧ୍ୱରେ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଅତୀତରେ ବିଜେଡିର ଅନେକ ନେତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏବେ ଦଳର ୨୦ବର୍ଷର କର୍ମୀ ଓ ନେତ୍ରୀ ମାମଲା ରୁଜୁ ପାଇଁ ୧୨ଘଂଟା ଥାନାରେ ବସିଲେ ତା’ହେଲେ ଓଡ଼ିଶାର ୨କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ଅବସ୍ଥା କ’ଣ ହେଉଥିବା ତାହା ସ୍ପଷ୍ଟ ଜଣାପଡୁଛି। ମହିଳାଙ୍କ ସମ୍ମାନ ପାଇଁ ତୁରନ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର ସହିତ ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button