ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଓ ଭାଇ ଅଶରଫ ଅହମଦକୁ ଗୁଳିକରି ହତ୍ୟା

ଉତ୍ତରପ୍ରଦେଶ : ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଘଟିଛି ଏହି ଘଟଣା। କଡ଼ା ସୁରକ୍ଷା ବଳୟରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ଲାଗି ନିଆଯାଇଥିବା ବେଳେ ପୋଲିସ ଉପସ୍ଥିତିରେ କରାଯାଇଛି ହତ୍ୟା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି।

ଖବର ଅନୁଯାୟୀ ଶନିବାର ରାତି ପ୍ରାୟ ୧୦ଟା ସମୟରେ ପ୍ରୟାଗରାଜ ମେଡିକାଲ କଲେଜ ପରିସରରେ ସାମ୍ବାଦିକମାନେ ଅତିକ୍‌କୁ ବିଭିନ୍ନ ପ୍ରଶ୍ନ କରୁଥିଲେ। ଏହି ସମୟରେ ୩ ଜଣ ସୁଟର ସାମ୍ବାଦିକ ବେଶରେ ଆସି ଅତିକ ଓ ତା’ ଭାଇକୁ ଅଚାନକ ଗୁଳି ଫୁଟାଇଥିବା ଜଣାପଡ଼ିଛି। ଏହି ଘଟଣା ଘଟାଇବା ପରେ ତିନି ସୁଟର ଜୟ ‌ଶ୍ରୀରାମ ଧ୍ଵନୀ ଦେବା ସହିତ ହାତ ଟେକି ଆତ୍ମସମର୍ପଣ କରିବାରୁ ପୋଲିସ ସେମାନଙ୍କୁ ବାକୁ କରିନେଇଥିଲା। ଗୁଳିକାଣ୍ଡରେ ଜଣେ ପୋଲିସ କର୍ମଚାରୀ ଓ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୨ଟି ପିସ୍ତଲ ଜବତ ହୋଇଛି।

ହତ୍ୟା ଘଟଣା ପରେ ପ୍ରୟାଗରାଜରେ ୧୪୪ ଧାରା ଜାରି କରାଯାଇଥିବାବେଳେ କିଛି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡାକିଥିଲେ। ପୋଲିସ ପୁଲିସ ମହାନିର୍ଦ୍ଦେଶକ ଓ ଆଇନ ଶୃଙ୍ଖଳା ବିଭାଗର ଏଡିଜି ଯୋଗଦେଇ ପରିସ୍ଥିତି ସଂପର୍କରେ ତାଙ୍କୁ ଅବଗତ କରାଇଥିଲେ। ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି।

ସୂଚନାଯୋଗ୍ୟ ଦୁଇଦିନ ତଳେ ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମଙ୍କର ପୋଲିସ ଏନକାଉଣ୍ଟର୍‌ରେ ମୃତ୍ୟୁ ହୋଇଥିଲା। ୨୦୦୫ ମସିହାରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଉମେଶ ପାଲ ଏହି ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ମାତ୍ର ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ଓ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ପୋଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗ ଆଧାରରେ ପ୍ରୟାଗରାଜର ଘୁମନଗଞ୍ଜ ଥାନାରେ ଅତିକ ଅହମଦ, ତାର ଭାଇ ଅଶରଫ, ପତ୍ନୀ ଶାଇସ୍ତା ପରବିନ, ଦୁଇପୁଅ, ସହଯୋଗୀ ଗୁଡ୍ଡୁ ମୁସଲିମ ଓ ଅନ୍ୟ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button