ପ୍ରେମିକାକୁ ବିଷଦେଇ ପ୍ରେମିକ ଖସିଗଲା

ଧର୍ମଗଡ : ପ୍ରଥମେ ପ୍ରେମ। ଜାତି ପ୍ରତିବନ୍ଧକ ସାଜିବାରୁ ଦୁହେଁ ଜୀବନ ହାରିବାକୁ ନେଲେ ନିଷ୍ପତ୍ତି। ହେଲେ ଠକିଦେଲା ପ୍ରେମିକ। ପ୍ରେମିକାକୁ ବିଷ ପିଆଇ ନିଜେ ପିଇଲାନି। ଶେଷରେ ମେଡିକାଲ ବେଡ୍‌ରେ ଏକମାସ ଜୀବନ ମରଣ ସହ ସଂଘର୍ଷ କରିବା ପରେ ପ୍ରେମିକାର ଜୀବନ ଚାଲିଗଲା। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ନୂନପାଣି ଗାଁର ନାବାଳିକା ସେହି ଗାଁର ଜଣେ ଯୁବକଙ୍କୁ ଦୀର୍ଘ ଦୁଇବର୍ଷ ଧରି ଭଲ ପାଉଥିଲେ। ଦୁହିଁଙ୍କ ଜାତି ଭିନ୍ନ ହୋଇଥିବାରୁ ପ୍ରେମରେ ସୃଷ୍ଟି ହୋଇଥିଲା ପ୍ରତିବନ୍ଧକ। ଉଭୟ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ। ଶେଷରେ ସେମାନେ ନିଷ୍ପତ୍ତି ନେଲେ ବିଷ ପିଇ ମରିବେ। ଗତ ମାର୍ଚ୍ଚ ୧୯ ତାରିଖ ଦିନ ନାବାଳିକା ସଂପୃକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ଯୁବକଙ୍କ ଘର ବାଡ଼ିପଟେ ଥିବା ଘରେ ଦୁହେଁ ବିଷ ପିଇବେ ବୋଲି ସ୍ଥିର କଲେ। ଯୁବକ ଏକ ବିଷ ବୋତଲ ନାବାଳିକାକୁ ଧରାଇ କହିଥିଲେ ତୁ ବିଷ ପିଇବା ପରେ ମୁଁ ପଇବି। ନାବାଳିକା ବିଷ ପିଇ ଦେଇଥିଲେ। ହେଲେ ଯୁବକ ଜଣଙ୍କ ବିଷ ନପିଇ ସେଠାରୁ ପଳାଇ ଯାଇଥିଲେ।

ଯୁବକଙ୍କ ପରିବାର ଲୋକେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ତାଙ୍କ ପରିବାରକୁ ଖବର ଦେଇଥିଲେ। ସେମାନେ ଡାକ୍ତରଖାନାରେ ପହଞ୍ଚି ନାବାଳିକାଙ୍କ ଅବସ୍ଥା ଗୁରୁତର ଦେଖି ବୁର୍ଲା ସ୍ଥାନାନ୍ତର କରିଥିଲେ। ସେଠାରେ ଏକ ମାସ ମୃତ୍ୟୁସହ ସଂଗ୍ରାମ କରି ଗତକାଲି ହରିଗଲେ। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ଗତକାଲି ରାତିରେ ନାବାଳିକାଙ୍କ ମୃତଦେହକୁ ଡାକ୍ତରଖାନାରୁ ଘରକୁ ନ ଆଣି ସଂପୃକ୍ତ ଯୁବକଙ୍କ ଘର ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି। ସଂପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିବାକୁ କରୁଛନ୍ତି ଦାବି।

ଗତ ମାର୍ଚ୍ଚ ୨୨ ତାରିଖ ଦିନ କୋକସରା ଥାନାରେ ନାବାଳିକାଙ୍କ ବାପା ସଂପୃକ୍ତ ଯୁବକ ନାଁରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କାହିଁକି ତାଙ୍କୁ ଗିରଫ କରିନାହିଁ ବୋଲି ପରିବାର ଲୋକେ କହିଛନ୍ତି। ପୋଲିସ ସେମାନଙ୍କୁ ବୁଝାସୁଝା କରିଛି।

Leave a Reply

Your email address will not be published. Required fields are marked *

Back to top button