ଭାରତର ଜନସଂଖ୍ୟା ସବୁଠୁ ଆଗରେ

ବିଶ୍ୱର ଜନବହୁଳ ରାଷ୍ଟ୍ର ତାଲିକାରେ ଚୀନ୍‌ ପଛରେ। ଶୀର୍ଷରେ ରହିଛି ଭାରତର ନାଁ। ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କରାଯାଇଥିବା ବିଭିନ୍ନ ଦେଶର ଜନସଂଖ୍ୟା ଗଣନା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ଖବର ଅନୁଯାୟୀ ଗ୍ଲୋବାଲ ଏକ୍ସପର୍ଟ୍ସ ନାମକ ସଂସ୍ଥା ଅନୁମାନ କରିଥିଲା ଭାରତ ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ। ସଂଯୁକ୍ତ ରାଷ୍ଟ୍ର ରିପୋର୍ଟରେ ଭାରତ ଚୀନ୍‌ ଜନସଂଖ୍ୟା ଠାରୁ ୨୯ ଲକ୍ଷ ଆଗରେ ରହିଛି। କିନ୍ତୁ ବାସ୍ତବରେ ଚୀନ୍‌ ଜନସଂଖ୍ୟାକୁ ଭାରତ ଅତିକ୍ରମ କରିଛି ବୋଲି କୋଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ସେହିପରି ୟୁନାଇଟେଡ ନ୍ୟାସନାଲ ପପୁଲେଶନ ଫଣ୍ଡ ତଥ୍ୟ ହେଲା ସମଗ୍ର ବିଶ୍ୱ ଜନସଂଖ୍ୟା ଏବେ ୮ଶହ କୋଟିରୁ ଅଧିକ। ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ। ଏହାକୁ ଲକ୍ଷ୍ୟକଲେ ଦୁଇ ଦେଶର ଜନସଂଖ୍ୟାରେ ୨୯ ଲକ୍ଷ ପାର୍ଥକ୍ୟ ରହିଛି।

ସଂଯୁକ୍ତ ରାଷ୍ଟ୍ର ୧୯୫୦ ମସିହାରୁ ବିଶ୍ୱର ବିଭିନ୍ନ ଦେଶର ଜନସଂଖ୍ୟା ରେକର୍ଡ ରଖୁଛି। ଏହାର ମିଡିଆ ପରାମର୍ଶଦାତା ଅନ୍ନା ଜେଫରିଜ କହିଛନ୍ତି ଜନସଂଖ୍ୟା ମାମଲାରେ ଭାରତ କେବେ ଚୀନ୍‌କୁ ପଛରେ ପକାଇଲା ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ଭାରତ-ଚୀନ ମଧ୍ୟରେ ଜନସଂଖ୍ୟାର ଅନ୍ତର କମ୍‌ ରହିଛି। ସେ କହିଛନ୍ତି ଚୀନ୍‌ ଜନସଂଖ୍ୟା ଗତବର୍ଷ ପିକ୍‌ରେ ପହଞ୍ଚିଥିବା ପରେ ଗ୍ରାଫ ତଳମୁହାଁ ହୋଇଥିଲା। ହେଲେ ଭାରତର ଜନସଂଖ୍ୟା ଗ୍ରାଫ୍‌ ଉପରମୁହାଁ ରହିଛି। ଭାରତର ଗ୍ରୋଥ୍‌ ରେଟ୍‌ ୧୯୮୦ ତୁଳନାରେ କମ୍‌ ରହୁଛି। ଏହାର ଅର୍ଥ ଭାରତର ଜନସଂଖ୍ୟା ବଢ଼ୁଛି। ଆଉ ଗ୍ରୋଥ୍‌ ରେଟ୍‌ ପୂର୍ବ ତୁଳନାରେ କମ୍‌ ରହୁଛି।

ରିପୋର୍ଟ ଆଧାରରେ ଭାରତର ୨୫% ଜନସଂଖ୍ୟା ୦ରୁ ୧୪ ବର୍ଷ ଓ ୧୮% ଜନସଂଖ୍ୟା ୧୦ରୁ ୧୯ ବର୍ଷ ମଧ୍ୟରେ ରହୁଛି। ୧୦ରୁ ୨୪ ବର୍ଷ ବୟସର ଲୋକ ଅଛନ୍ତି ପାଖାପାଖି ୨୬% । କିନ୍ତୁ ଚୀନ୍‌ରେ ୬୫%ରୁ ଅଧିକ ବୟସର ଲୋକ ସଂଖ୍ୟା ରହିଛି ୧୪%। କିନ୍ତୁ ଚୀନ୍‌ ନାଗରିକଙ୍କ ଆୟୂଷ ଭାରତୀୟଙ୍କ ଆୟୂଷଠାରୁ ଅଧିକ ରହୁଛି। ଚୀନରେ ମହିଳାଙ୍କ ୮୨ ଓ ପୁରୁଷଙ୍କର ୭୬ ବର୍ଷ ପର୍ଯ୍ୟନ୍ତ ରହୁଥିବା ବେଳେ ଭାରତରେ ମହିଳା ୭୪ ଓ ପୁରୁଷଙ୍କ ଆୟୂଷ ରହୁଛି ୭୧ ବର୍ଷ। ବିଶେଷଜ୍ଞ କହୁଛନ୍ତି ଚୀନ୍‌ରେ ଏକ ଶିଶୁ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଜନସଂଖ୍ୟା କମିବାର କାରଣ। ଏହାର ପ୍ରଭାବକୁ ଅନୁଭବ କରିବା ପରେ ଏବେ ୨ କିମ୍ବା ତା’ଠୁ ଅଧିକ ଶିଶୁ ଜନ୍ମ କଲେ ଚୀନ୍‌ ସରକାର ଆକର୍ଷଣୀୟ ଅଫର୍‌ ଦେବାକୁ ଘୋଷଣା କରୁଛନ୍ତି। କିନ୍ତୁ ଭାରତରେ ସେପରି କିଛି କଡ଼ା ନିୟମ ଲାଗୁ ହୋଇପାରିନି।

Leave a Reply

Your email address will not be published. Required fields are marked *

Back to top button