ଅପପୁଷ୍ଟିଜନିତ ମୃତ୍ୟୁ ପାଇଁ ଚର୍ଚ୍ଚାରେ ଯାଜପୁର ଜିଲ୍ଲା

ଯାଜପୁର : ଦାନଗଦୀ ବ୍ଲକ ତ୍ରିରଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୋଲେଇ ଗାଁ’ର ବାବୁଲି ତିରିଆଙ୍କ ୮ବର୍ଷ ଝିଅ ଶୁଭଲକ୍ଷ୍ମୀର ଅପପୁଷ୍ଟିରେ ମୃତ୍ୟୁ ହୋଇଥିବା ଅଭିଯୋଗ ଉଠିଛି। ଯାହା ସୁଚାଇ ଦେଉଛି ସିମାମ ଯୋଜନା ଏଠାରେ ଫେଲ୍।

ସୂଚନାଯୋଗ୍ୟ ଖଣି ଓ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାର ଦୁଇବ୍ଲକ୍ ସହିତ ଯୋଡ଼ି ହୋଇଯାଇଛି ଅପପୁଷ୍ଟି। ପୂର୍ବରୁ ସୁକିନ୍ଦା ବ୍ଲକ୍ର କ୍ରୋମ୍ ଉପତ୍ୟକା ନିକଟବର୍ତ୍ତୀ ନଗଡ଼ାର ଅପପୁଷ୍ଟି ଘଟଣା ଚର୍ଚ୍ଚାକୁ ଆସିଥିଲା। ଏବେ ଦାନଗଦୀ ବ୍ଲକରେ ସମାନ ପରିସ୍ଥିତି। କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟ ଘାଟିସାହିରେ ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଆଉ ସିମାମ୍ ଭଳି ଯୋଜନା ଉପରେ ଉଠିଛି ପ୍ରଶ୍ନ। ସରକାରଙ୍କ କେବେଳ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି, ହେଲେ ଏହା କାର୍ଯ୍ୟକାରୀ କିପରି ହେଉଛି ତାହା ବୁଝିବା ପାଇଁ କାହାରି ଆନ୍ତରିକତା ନାହିଁ ବୋଲି ଲୋକେ କହୁଛନ୍ତି।

ଖବର ଅନୁଯାୟୀ ଯାଜପୁରର ୧୦ଟି ବ୍ଲକ୍ ମଧ୍ୟରୁ ସୁକିନ୍ଦା ଓ ଦାନଗଦୀକୁ ସିମାମ ଯୋଜନାରେ ସାମିଲ କରାଯାଇଛି। ପୁଷ୍ଟିକର ଖାଦ୍ୟରେ ପରିବର୍ତ୍ତନ ଓ ରାଜ୍ୟ ସରକାର ୫-ଟି ଅନୁସରଣ କରି ଏକ ପରିବର୍ତ୍ତିତ ରଣନୀତି ମାଧ୍ୟମରେ ପାହାଡ଼ିଆ ଅଞ୍ଚଳର ଅପପୁଷ୍ଟି ନିରାକରଣ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। କିନ୍ତୁ ଯୋଜନା କାଗଜପତ୍ରରେ ସୀମିତ ବୋଲି କୁହାଯାଉଛି।

ଏଠାକାର ଲୋକେ କୁହନ୍ତି ଅପପୁଷ୍ଟି ନିରାକରଣ ପାଇଁ ସରକାର ଏତେ ସବୁ ନିୟମ ଓ ସିମାମ୍‌ ଭଳି ଯୋଜନା କରିଛନ୍ତି। ହେଲେ ଦାନଗଦୀ ଓ ସୁକିନ୍ଦା ବ୍ଲକ୍‌ରେ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ଅନେକ। ଏହା କିପରି ସମ୍ଭବ ? କ’ଣ ଯୋଜନା ବାଟବଣା ? ସେମାନଙ୍କ ମତ ଯଦି ଅପପୁଷ୍ଟିର ଶିକାର ହୋଇ ଶିଶୁ ମୃତ୍ୟୁବରଣ କରୁଛନ୍ତି ତେବେ ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନ କ’ଣ ଏକ ପ୍ରହସନ ? ଯାହାବି ହେଉ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Back to top button