ଡିଏଲ୍‌ଏଫ୍‌ ଜମି କାରବାର ମାମଲା : ରବର୍ଟ ଭଦ୍ରାଙ୍କୁ କ୍ଲିନ୍‌-ଚିଟ୍‌ ମିଳିନି

ନୂଆଦିଲ୍ଲୀ : ରବର୍ଟ ଭଦ୍ରାଙ୍କ ସ୍କାଏଲାଇଟ୍‌ ହସ୍ପିଟାଲିଟି ଓ ଡିଏଲ୍‌ଏଫ୍‌ ୟୁନିଭର୍ସାଲ ଲିମିଟେଡ୍‌ ମଧ୍ୟରେ ଜମି ହସ୍ତାନ୍ତର ମାମଲାର ତଦନ୍ତ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍‌ଆଇଟି ପକ୍ଷରୁ କୌଣସି କ୍ଲିନ୍‌-ଚିଟ୍‌ ଦିଆଯାଇ ନାହିଁ ବୋଲି ହରିୟାଣା ସରକାର କହିଛନ୍ତି।

ଶୁକ୍ରବାର ଏକ ବିବୃତିରେ ମୁଖପାତ୍ର କହିଛନ୍ତି ଏହି ମାମଲାରେ ଏସଆଇଟିର ଲକ୍ଷ୍ୟ କେବଳ ରାଜସ୍ୱ ହାନିର ତଦନ୍ତରେ ସୀମିତ ନୁହେଁ। ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅଧିକ ଆର୍ଥିକ ଲାଭ ଦେବା ଉଦ୍ଦେଶ୍ୟରେ ଅପରାଧିକ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ସମସ୍ତଙ୍କୁ ଖୋଜି ବାହାର କରିବା। ଏଥିସହ ଅଣହସ୍ତକ୍ଷେପ କାରବାରରେ ସମ୍ପୃକ୍ତ ସମସ୍ତଙ୍କୁ ପଦାରେ ପକାଇବା ତଦନ୍ତର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଗୁରୁଗ୍ରାମ ମାନେସର ତହସିଲଦାର ଦାଖଲ କରିଥିବା ରିପୋର୍ଟ ସମ୍ପର୍କରେ ସେ କହିଛନ୍ତି ସ୍କାଏଲାଇଟ୍‌ ହସ୍ପିଟାଲିଟି ସେପ୍ଟେମ୍ବର ୧୮, ୨୦୧୨ରେ ଡିଏଲଏଫ୍‌ ୟୁନିଭର୍ସାଲ ଲିମିଟେଡକୁ ୩.୫ ଏକର ଜମି ବିକ୍ରି କରିଥିଲା। ଏହାର ହସ୍ତାନ୍ତର ଭାରତୀୟ ପଞ୍ଜୀକରଣ ଆଇନ ଅନୁଯାୟୀ କରାଯାଇଥିବାରୁ କୌଣସି ନିୟମ କିମ୍ବା ଆଇନର ଉଲ୍ଲଂଘନ କରାଯାଇନାହିଁ।

କେତେକ ଗଣମାଧ୍ୟମ ଏହି ରିପୋର୍ଟକୁ ଭୁଲରେ କ୍ଲିନ୍‌-ଚିଟ୍‌ ଭାବେ ଉପସ୍ଥାପନ କରୁଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସାଂସଦ ଏବଂ ବିଧାୟକଙ୍କ ସହ ଜଡିତ ମାମଲାର ତଦନ୍ତ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ତଦନ୍ତର ସମୀକ୍ଷା ପରେ ଗତ ମାସରେ ଏସଆଇଟିର ପୁନର୍ଗଠନ କରା ଯାଇଥିଲା। ରାଜସ୍ୱ ତଥା ସହର ଯୋଜନା ବିଷୟରେ ଜ୍ଞାନ ଥିବା ଦୁଇ ଜଣ ଅଭିଜ୍ଞ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ତଦନ୍ତ ତ୍ୱରାନ୍ଵିତ କରିବା ଉଦ୍ଦେଶ୍ୟରେ ଏସ୍‌ଆଇଟି ସହ ଯୋଡ଼ି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button