ଗଣ ବିବାହ ପୂର୍ବରୁ ଗର୍ଭ ପରୀକ୍ଷାକୁ ନେଇ ବିବାଦ

ଭୋପାଳ : ବିବାହ ପୂର୍ବରୁ ଗର୍ଭ ପରୀକ୍ଷା। ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହୋଇଥିବା ମହିଳାମାନଙ୍କର ଗର୍ଭ ପରୀକ୍ଷା କରାଯାଇଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି।

ଖବର ଅନୁଯାୟୀ ଗର୍ଭବତୀ ଜଣାପଡ଼ିବା ପରେ ଗଣ ବିବାହରରୁ ବଞ୍ଚିତ ହୋଇଛନ୍ତି ମହିଳା। ହେଲେ ଜିଲ୍ଲାପାଳ ବିକାଶ ମିଶ୍ରା କହିଛନ୍ତି ସିକେଲ ସେଲ ଆନେମିଆ ସ୍କ୍ରିନିଂ ବେଳେ ଗର୍ଭଧାରଣ ସମ୍ପର୍କରେ ସୂଚନା ମିଳିଛି। ଗଣ ବିବାହ କରୁଥିବା ହିତାଧିକାରୀଙ୍କର ଏହି ଟେଷ୍ଟ ନିୟମ ଅନୁସାରେ କରାଯାଇଛି। ଏହି ସମୟରେ ୫ ଜଣ ମହିଳା ଡାକ୍ତରଙ୍କୁ କହିଥିଲେ ସେମାନଙ୍କ ଋତୁଶ୍ରାବ ଠିକ ସମୟରେ ହୋଇନାହିଁ। ପରୀକ୍ଷା ପରେ ସେମାନେ ଗର୍ଭବତୀ ଥିବା ଜଣାପଡ଼ିବାରୁ ଗଣ ବିବାହରେ ସାମିଲ କରାଯାଇ ନଥିଲା। କିନ୍ତୁ ସେମାନଙ୍କୁ ଗର୍ଭ ପରୀକ୍ଷା କରିବାକୁ କୁହାଯାଇ ନଥିଲା। ଡାକ୍ତର ଓ ହିତାଧିକାରୀମାନଙ୍କ କଥାବାର୍ତ୍ତା ପରେ ସବୁ କିଛି କରାଯାଇଥିଲା। ବାକି ୨୧୯ ଯୋଡ଼ା ଦମ୍ପତିଙ୍କ ଗଣବିବାହ କରାଯାଇଛି।

ଗର୍ଭବତୀ ଜଣାପଡ଼ିବା ପରେ ଗଣ ବିବାହରରୁ ବଞ୍ଚିତ ଜଣେ ମହିଳା କହିଛନ୍ତି ମୋର ସବୁ ପରୀକ୍ଷା ସାରିବା ପରେ ବାହାଘର ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମୋ ନାଁ ତାଲିକାରେ ନଥିଲା। ୫ ମାସ ହେଲାଣି ମୁଁ ଜଣେ ପୁରୁଷଙ୍କ ସହ ରହୁଛି। ମୁଁ ବାହା ହେବାକୁ ଚାହୁଁଥିଲି। ହେଲେ ବାହାଘର ପୂର୍ବରୁ ମୁଁ ଗର୍ଭବତୀ ଜଣାପଡ଼ିବାରୁ ନାଁକୁ କାଟି ଦିଆଯାଇଛି।

ରାଜ୍ୟ କଂଗ୍ରେସ ମୁଖ୍ୟ କମଲନାଥ କହିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ସାମିଲ ହୋଇ ଗଣ ବିବାହ କରିବାକୁ ଆସିଥିବା ୨୦୦ ଜଣ ମହିଳାଙ୍କ ଗର୍ଭ ପରୀକ୍ଷା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାର ସେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହା ସତ କିମ୍ବା ମିଛ ତାହା ମୁଖ୍ୟମନ୍ତ୍ରୀ କହିବା ଉଚିତ। ଯଦି ସତ ତେବେ କେଉଁ ଉଦ୍ଦେଶ୍ୟରେ ମହିଳାମାନଙ୍କୁ ଏପରି ଅପମାନିତ କରାଯାଇଛି। ଗରିବ ଓ ଆଦିବାସୀ ସଂପ୍ରଦାୟ ମହିଳାମାନଙ୍କର କ’ଣ ସମ୍ମାନ ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button