ପୋଲିସ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ମାରିଲେ ଚାପୁଡ଼ା ଓ ଧକ୍କା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଥାନାରେ ଅଟକ। ବିକ୍ଷୋଭ ବେଳେ ପୋଲିସ୍‌ କର୍ମଚାରୀଙ୍କୁ ଚାପୁଡ଼ା ଓ ଧକ୍କା ମାରିବା ସହିତ ଠେଲାପେଲା କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ଏପରି କାର୍ଯ୍ୟ କରିଛନ୍ତି।

ଖବର ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ପ୍ରଶ୍ନ ଲିକ୍‌ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଏସ୍‌ଆଇଟି କରୁଛି। କିନ୍ତୁ ଶର୍ମିଲା ନିଜର ଅସନ୍ତୋଷ ପ୍ରକାଶ କରି ଆଜି ଏସ୍‌ଆଇଟି ଅଫିସ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତାଙ୍କ ଗାଡ଼ିକୁ ପୋଲିସ୍‌ କର୍ମଚାରୀମାନେ ଅଟକାଇବାରୁ ସେ ଠେଲାପେଲା କରିବା ସହ ଚାପୁଡ଼ା ମାରିଛନ୍ତି।

ଏନଆଇଏ ପକ୍ଷରୁ ଘଟଣା ସମୟର ଭିଡିଓ ଜାରି କରାଯାଇଛି। ଶର୍ମିଲାଙ୍କ କାର୍‌ ଏସଆଇଟି ଅଫିସ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ଅଟକାଇବାରୁ ସେ ତାଙ୍କ ପାଖକୁ ଚାଲି ଚାଲି ଯାଇ ଚାପୁଡ଼ା ଓ ଧକ୍କା ମାରିଥିଲେ। ଏହାକୁ ନେଇ ପୋଲିସ ଓ ଶର୍ମିଲାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ଅନ୍ୟ ମହିଳା ପୋଲିସ୍‌ କର୍ମଚାରୀମାନେ ଶର୍ମିଲାଙ୍କୁ ସେଠାରୁ ଭିଡ଼ି ଆଣିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଜୁବଲି ହିଲ୍ସ ଥାନାରେ ଅଟକ ରଖାଯାଇଛି।

ସୂଚନାଯୋଗ୍ୟ ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର ପ୍ରଶ୍ନ ଲିକ୍‌ ଘଟଣାକୁ ନେଇ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏହାକୁ ନେଇ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରୀକ୍ଷାକୁ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button