ବଳଦେବଜୀଉ, ଦଧିବାମନ ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି କେ ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି। ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଦେଇଛନ୍ତି ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ।

ଖବର ଅନୁଯାୟୀ ଗୁରୁବାର ଶ୍ରୀ ପାଣ୍ଡିଆନ କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟସ୍ଥ ଦଧିବାମନ ଜିଉ ମନ୍ଦିର ଓ ରାମନଗର ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରିବ ସହିତ ଏହାର ଅଧିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦଧିବାମନଜୀଉ ଓ ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ସେ ମହାକାଳପଡା ବ୍ଲକ୍‌ ଅଡୋଇଠାରେ ପ୍ରସ୍ତାବିତ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି କାମ ତୁରନ୍ତ ଆରମ୍ଭ କରିବାକୁ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା ଓ ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

କେନ୍ଦ୍ରପଡା ସର୍କିଟ ହାଉସରେ ପାଣ୍ଡିଆନ ପ୍ରାୟ ୧୩୦ଟି ନାଗରିକ ସମାଜ (ସିଭିଲ ସୋସାଇଟି) ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଓ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ସେ କହିଥିଲେ ।

ପାଣ୍ଡିଆନ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲାର ଆରଏମସି କମ୍ପ୍ଲେକ୍ସକୁ ଗସ୍ତ କରି ସେଠାରେ ୫୦୦ ଏମ୍‌.ଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସେ କେନ୍ଦ୍ରାପଡା ବ୍ଲକ୍‌ ଜଜାଙ୍ଗସ୍ଥିତ ସଂକଳ୍ପ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏଠାରେ ଗୋଲଡେନ୍‌ ଗ୍ରାସ ହସ୍ତଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏଠାରେ ପାଣ୍ଡିଆନ କାମ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର କାର୍ଯ୍ୟ ଓ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ। ଗୋଲଡେନ୍‌ ଗ୍ରାସରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଉପଯୁକ୍ତ ମାର୍କେଟିଂ ପାଇଁ ପଦକ୍ଷେପ ନେବାକୁ ଏବଂ ଏହି ପ୍ରକଳ୍ପରେ ଅଧିକରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀକୁ ସାମିଲ କରିବାକୁ ସେ ହସ୍ତଶିଳ୍ପ ବିଭାଗକୁ ପରାମର୍ଶ ଦେଇଥିଲେ ।

ଏହାପରେ ପାଣ୍ଡିଆନ ବଡମୂଳବସନ୍ତ ଅଞ୍ଚଳରେ ଚାଲିଥିବା ଜୟ ସଂକଟମୋଚନ ଓ ମା ଶାରଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ମତ୍ସ୍ୟଚାଷ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ପ୍ରକଳ୍ପ ସହିତ ସିଧାସଳଖ ସଂଶ୍ଲିଷ୍ଟ ହୋଇ କାମକୁ ଆଗେଇ ନେବାପାଇଁ ସେ ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ପଟ୍ଟାମୁଣ୍ଡାଇସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲମ୍ବିଂ ଟେକ୍ନୋଲୋଜି ବୁଲି ଦେଖିଥିଲେ ୫-ଟି ସଚିବ। ସେଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପିଲାମାନେ ଯେପରି ପାସ୍‌ ହେବାପରେ ତୁରନ୍ତ ନିଯୁକ୍ତି ପାଇପାରିବେ, ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଇନଡୋର ଷ୍ଟାଡିୟମ୍ ଓ ଇନଡୋର ହଲ କାମ ଅନୁଧ୍ୟାନ କରି ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଗୋଲରା ହାଟ ଠାରେ ସେ ମିଶନ ଶକ୍ତି ଅଧିନସ୍ଥ ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏମ୍ବ୍ରୋଡୋରି ଷ୍ଟିଚିଂ ୟୁନିଟ୍ ପରିଦର୍ଶନ କରିଥିଲେ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଏହି ସାମଗ୍ରୀ ପାଇଁ ଅଧିକ ବଜାର ସୁବିଧା କରିବା ପାଇଁ ସେ ପରାମର୍ଶ ଦେବା ସହିତ ଏହି ସଂସ୍ଥା ଗୁଡିକ ଅଧିକ ସହଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ।

ଡେରାବିଶ ବ୍ଲକ୍‌ରେ ଏକ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ସେ ପରାମର୍ଶ ଦେଇଥିଲେ। ଡେରାବିଶରେ ସେ ପ୍ରାୟ ୬୦୦ ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ସେ କହିଥିଲେ । ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଂପୃକ୍ତ ଅଧିକାରୀମାନେ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button