Mon. Nov 18th, 2019

ଆସନ୍ତା କାଲିଠାରୁ ସରକାରୀ କାର୍ଯ୍ୟରେ କଡାକଡି ହେବ ଓଡିଆ ଭାଷା

ଭୁବନେଶ୍ୱର : ଆସନ୍ତା କାଲିଠାରୁ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବ୍ୟବହାର ହେବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓଡିଶା ଅଫିସିଆଲ ଲାଙ୍ଗୁଏଜ୍ ଆମେଡମେଣ୍ଟ ରୁଲସ୍ ୨୦୧୯ କାର୍ଯ୍ୟକାରୀ ନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଫଳରେ ରାଜ୍ୟ ଭିତରେ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରିବା ବାଧ୍ୟତାମୂଳକ ହୋଇଛି।

ଓଡିଶା ସରକାରୀ ଭାଷା ଆଇନ ୧୯୫୪ର ଧାରା ୧୪ରେ ରାଜ୍ୟକୁ ପ୍ରଦତ୍ତ କ୍ଷମତା ପ୍ରକାରେ ଓଡିଶା ସରକାରୀ ଭାଷା ଆଇନ ୨୦୧୬ରେ ଏହି ସଂଶୋଧନ ହୋଇଛି। ସଂଶୋଧିତ ଆଇନ ୨୦୧୯ର ୫(ଏ)ରେ କରାଯାଇଥିବା ସଂଶୋଧନରେ ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ବହୁଳ ପ୍ରଚଳନ ନିମନ୍ତେ ସମସ୍ତ ଅଧିକାରୀ ଓ ପ୍ରଶାସକଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଏଥିପାଇଁ କର୍ମଚାରୀ, ଅଧିକାରୀ ଓ ପ୍ରଶାସକୀୟ ବିଭାଗକୁ ପୁରସ୍କୃତ କରାଯିବାର ବି ପ୍ରାବଧାନ ରହିଛି।

ଓଡିଆ ଭାଷାକୁ କାର୍ଯ୍ୟକାରୀ କରିବାରେ ଅନିଛା ପ୍ରକାଶ କଲେ ସମ୍ପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ ଓଡିଶା ସିଭିଲ ସର୍ଭିସ ରୁଲସ ୧୯୬୨ ପ୍ରକାରେ ଦଣ୍ଡ ବିଧାନର ପ୍ରାବଧାନ ରହିଛି। ଯଦି ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ସେବା ଅଧିକାରୀ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ସେ କ୍ଷେତ୍ରରେ ସେଣ୍ଟ୍ରାଲ ସିଭିଲ ସର୍ଭିସ ବ୍ୟବସ୍ଥା ପ୍ରକାରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *