Mon. Nov 18th, 2019

୩୭୦ ଉଚ୍ଛେଦରେ ଜମ୍ମୁ ଓ କଶ୍ମୀରବାସୀ ଉପକୃତ ହେବେ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରାଯିବା ଦ୍ୱାରା ଏ ଅଂଚଳର ବିକାଶ ତ୍ୱରାନ୍ଵିତ ହୋଇପାରିବ। ଭାରତର ଅନ୍ୟ ଅଂଚଳର ଲୋକମାନଙ୍କ ପରି ଜମ୍ମୁ ଓ କଶ୍ମୀରବାସୀ ସମାନ ଅଧିକାର ଓ ସୁବିଧା ସୁଯୋଗ ପାଇପାରିବେ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

୭୩ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଓ ଲଦାଖରେ ସରକାରଙ୍କ ପକ୍ଷରୁ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ସେହି ଅଞ୍ଚଳର କଲ୍ୟାଣରେ ବିଶେଷ ସହାୟକ ହେବ। ଏହାଦ୍ୱାରା ସେହି ଅଞ୍ଚଳର ଜନସାଧାରଣ ଦେଶର ଅନ୍ୟାନ୍ୟ ଅଞ୍ଚଳର ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ। ସେମାନେ ମଧ୍ୟ ସମାନତାକୁ ଗୁରୁତ୍ୱ ଦେଉଥିବା ପ୍ରଗତିଶୀଳ ଆଇନ ଏବଂ ବ୍ୟବସ୍ଥା ଗୁଡ଼ିକର ଲାଭ ଉଠାଇପାରିବେ। ଶିକ୍ଷା ଅଧିକାର ଆଇନ ଲାଗୁ ହେବାପରେ ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ। ସୂଚନା ଅଧିକାର ମିଳିବା ପରେ ଏବେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ। ପାରମ୍ପରିକ ରୂପେ ବଞ୍ଚିତ ରହି ଆସିଥିବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ। ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ଆମ ଝିଅମାନଙ୍କୁ ନ୍ୟାୟ ମିଳିବ। ସେମାନେ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇବେ।

ସେ କହିଛନ୍ତି ଯେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାର ସିଦ୍ଧାନ୍ତ ଉପରେ ଆମ ଦେଶ ଗଢ଼ି ଉଠିଛି। ଆମେ ପରସ୍ପରକୁ ସମ୍ମାନ ଦେଉ ଓ ପରସ୍ପରର ପରିଚୟକୁ ସ୍ୱୀକାର କରୁ। ଏଥିରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା, ଆଞ୍ଚଳିକତା ଆଦିର ସ୍ଥାନ ନଥାଏ ।

Leave a Reply

Your email address will not be published. Required fields are marked *