Thu. May 23rd, 2019
78 views

ଦେଶକୁ ୭୦ବର୍ଷ ଲୁଟିଛନ୍ତି ରାଜନୈତିକ ଦଳ : କେଜ୍ରିୱାଲ

ସେୟାର କରନ୍ତୁ:-

ଭୁବନେଶ୍ଵର : ଭାରତ ପଛରେ ସ୍ୱାଧୀନତା ଲାଭ କରିଥିବା ରାଷ୍ଟ୍ରଗୁଡ଼ିକର ଅର୍ଥନୀତି ଏବେ ବେଶ୍ ସମୃଦ୍ଧ । କିନ୍ତୁ ରାଜନୈତିକ ଦଳଗୁଡ଼ିକ ଦେଶକୁ ୭୦ବର୍ଷ ଧରି ଲୁଟ୍ କରିଥିବାରୁ ଏଠାରେ ବିକାଶ ସମ୍ଭବ ହୋଇନି ।ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥିସହିତ ତାଙ୍କ ସରକାର ଦଳିତ ଓ ଗରିବଙ୍କ କଲ୍ୟାଣ ପାଇଁ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି ।

ଗୁରୁବାର ଓଡିଶା ଗସ୍ତରେ ଆସିଥିବା ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୁବନେଶ୍ୱରର ଲୋୟର ପିଏମଜିରେ ‘ସାମାଜିକ ନ୍ୟାୟ ଅଭିଯାନ’ ବ୍ୟାନରରେ ଅନୁଷ୍ଠିତ ହୋଇଥିବା ଏକ ସମାବେଶକୁ ସମ୍ବୋଧିତ କରିଥିଲେ । ରାଜନୈତିକ ଦଳଗୁଡ଼ିକ ଦେଶକୁ ୭୦ବର୍ଷ ଧରି ଲୁଟ୍ କରିଥିବା ଅଭିଯୋଗ ଆଣି ଦିଲ୍ଲୀର ଉଦାହରଣ ଦେଇଥିଲେ । ଆଉ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ । ସେ କହିଥିଲେ ଦିଲ୍ଲୀରେ ଯେଭଳି ପରିବର୍ତ୍ତନ ହୋଇଛି ତାହା ଓଡ଼ିଶାରେ ସମ୍ଭବ । କିନ୍ତୁ ଆମ ଆଦମୀ ପାର୍ଟି ଏଠି ନିର୍ବାଚନ ଲଢ଼ିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟବାସୀଙ୍କର । ସେମାନେ ରାଜ୍ୟରେ ଖଣି ମାଫିଆଙ୍କ ଶାସନ ଚାହୁଁଛନ୍ତି ନା ଜନତାର ଶାସନ ଚାହୁଁଛନ୍ତି ତାହା ତାଙ୍କ ଉପରେ ନିର୍ଭର କରେ । ଓଡ଼ିଶାରେ ସ୍କୁଲ ଓ ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ଥିତିକୁ ସମାଲୋଚନା କରି କେଜରିୱାଲ କହିଲେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଆଜିଯାଏ ସୁଧାର ଆସିନି । ଦିଲ୍ଲୀରେ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଦେଖିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଯାଇ ଦେଖନ୍ତୁ ବୋଲି ସେ କହିଥିଲେ । ବିଦ୍ୟୁତ ପ୍ରସଙ୍ଗ ଉଠାଇ ସେ କହିଲେ ଦିଲ୍ଲୀରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ବିଦ୍ୟୁତ ୟୁନିଟ୍ ପିଛା ୧ଟଙ୍କାରେ ଉପଲବ୍ଧ କରାଉଛି । ଦିଲ୍ଲୀ ବିଦ୍ୟୁତ ଉତ୍ପାଦନ ହେଉନି । କିନ୍ତୁ ଗ୍ରାହକଙ୍କୁ ମାତ୍ର ୧ଟଙ୍କାରେ ବିଦ୍ୟୁତ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହି ଦର ୟୁନିଟ୍ ପିଛା ରହିଛି ୫.୭୫ଟଙ୍କା । ଏଠାରେ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ କାହିଁକି ଚଢାଦର ରହିଛି ବୋଲି ସେ ପ୍ରଶ୍ନ କରିଥିଲେ ।

ସେହିପରି ସରକାରୀ ସ୍କୁଲଗୁଡ଼ିକର ଉଦାହରଣ ଦେଇ ସେ କହିଲେ ଦିଲ୍ଲୀରେ ଶିକ୍ଷା ସ୍ତରରେ ଏଭଳି ସୁଧାର ଆସିଛି ଅଭିଭାବକମାନେ ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ପିଲାଙ୍କ ନାଁ ଲେଖାଉଛନ୍ତି । ଘରୋଇ ସ୍କୁଲ ତୁଳନାରେ ସରକାରୀ ସ୍କୁଲର ଫଳାଫଳ ମଧ୍ୟ ୧୦ ପ୍ରତିଶତ ଅଧିକ ହେଉଛି । ୪ବର୍ଷ ମଧ୍ୟରେ ଘରୋଇ ସ୍କୁଲ ଫି’ ବୃଦ୍ଧି ହୋଇନି । ଶୀଲା ଦୀକ୍ଷିତ ସରକାର ସମୟରେ ଯେଉଁ ଘରୋଇ ସ୍କୁଲ ଫି ବୃଦ୍ଧି କରିଥିଲେ ତାକୁ ମଧ୍ୟ ଫେରସ୍ତ ଦେବା କାର୍ଯ୍ୟ ଦିଲ୍ଲୀ ସରକାର କରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସରୁ ନିକଟରେ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କଂଗ୍ରେସ ଉପରେ ବର୍ଷିଥିବା ବେଳେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ଆମ୍ ଆଦମୀ ପାର୍ଟି ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର, ସାମାଜିକ ନ୍ୟାୟ ଅଭିଯାନର ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ନିଜର ମତ ରଖିଥିଲେ।

ସେୟାର କରନ୍ତୁ:-

2 thoughts on “ଦେଶକୁ ୭୦ବର୍ଷ ଲୁଟିଛନ୍ତି ରାଜନୈତିକ ଦଳ : କେଜ୍ରିୱାଲ

Leave a Reply

Your email address will not be published. Required fields are marked *