ରାଜ୍ୟରେ ବିଜେପି ସୃଷ୍ଟି କରୁଛି ଅଶାନ୍ତ ବାତାବରଣ : ବିଜେଡି

ଭୁବନେଶ୍ଵର : ଓଡ଼ିଶାରେ ବିଜେପି ଅଶାନ୍ତ ବାତାବରଣ ସୃଷ୍ଟି କରୁଛି। ଏହି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଖବର ଅନୁଯାୟୀ ଲେନିନ୍ ମହାନ୍ତି କହିଛନ୍ତି ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ଟି ମାମଲା ରହିଛି। ଏହା ଗୋଟିଏମାତ୍ର ଉଦାହରଣ ନୁହେଁ। ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ସ୍ଥାନ ଦେଇଥାଏ। ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିବା ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ଟି ଅପରାଧିକ ମାମଲା ବିଚାରାଧୀନ ଅଛି। ଅଭ୍ୟାସଗତ ଅପରାଧୀ ଓ ହତ୍ୟା ଅଭିଯକ୍ତୁ ଇରାସିସ୍ ଆଚାର୍ଯ୍ୟଙ୍କ ନାଁରେ ହତ୍ୟା ସମେତ ୧୪ଟି ମାମଲା ବିଚାରାଧୀନ ରହିଛି। ସେହିପରି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ଟି ଅପରାଧିକ ମାମଲା ରହିଛି। ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଥିବା ବେଳେ ବିଜେପି ରାଜ୍ୟବାସୀଙ୍କ ସମ୍ମାନହାନୀ କରିବା ଏଲଏଜିଆଇ ଓଡ଼ିଶାକୁ ଆଇନହୀନ ବୋଲି କହିବା ଜାରି ରଖିଛି।

ଲେଲିନ କହିଲେ ବେଆଇନ କାର୍ଯ୍ୟ କିଏ କରୁଛି ଓ ଅପରାଧୀଙ୍କୁ ସମର୍ଥନ ଦେଉଛି କିଏ ତାହା ଓଡିଶାର ଲୋକମାନେ ଦେଖୁଛନ୍ତି। ଏହାର ଉପଯୁକ୍ତ ଉତ୍ତର ସେମାନେ ଦେଉଛନ୍ତି। ଭବିଷ୍ୟତରେ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାରି ରଖିବେ। ଝାରସୁଗୁଡା ଉପନିର୍ବାଚନରେ ବିଜେପି ପରାଜୟ ନିଶ୍ଚିତ ଜାଣିବା ପରେ ବିଜେଡି ନେତା ଓ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି। ବିଜେପି ବିଧାୟିକା କୁସୁମ ଟେଟେ ଓ ଝାରସୁଗୁଡା ଉପ-ନିର୍ବାଚନରେ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜେପି କର୍ମୀଙ୍କର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସମର୍ଥନ କରି ଆସୁଛନ୍ତି। ସେଥିପାଇଁ ଓଡିଶାର ଲୋକମାନେ ରାଜ୍ୟରେ ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଝାରସୁଗୁଡା ଉପନିର୍ବାଚନରେ ମଧ୍ୟ ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ। ସେ କହିଲେ ସେମାନେ ଆଇନ ଭାଙ୍ଗି ହିଂସା କରୁଛନ୍ତି। ଯେଉଁଠି ଦଙ୍ଗା ହେଉଛି ସେଠି ବିଜେପି କମିଟି ଯାଇ ନାହିଁ। ଏଠାକୁ ଆସୁଛନ୍ତି ଓଡିଶାକୁ ବଦନାମ କରୁଛନ୍ତି। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସା ସୃଷ୍ଟି କରି ଆଇନଶୃଙ୍ଖଳା ନାହଁ ବୋଲି କହିଲେ ଆମକୁ ବାଧିବ ବୋଲି ଲେନିନ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button