ସରକାରରେ ଯାହା ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି : ସୌମ୍ୟରଞ୍ଜନ

ଭୁବନେଶ୍ଵର : ରାଜନୀତି ବିଜ୍ଞାନରେ ପଢ଼ିଥିଲୁ ଅମଲାତନ୍ତ୍ର ମନ୍ତ୍ରୀଙ୍କ ବାହୁଛାୟା ତଳେ ରହି ରାଜନୈତିକ ଉତ୍ତର ଦାୟିତ୍ୱ କାର୍ଯ୍ୟକ୍ରମ କରିବେ। ହେଲେ ସେ ସମୟ ଆଉ ନାହିଁ। ସରକାରରେ ଯାହା କିଛି ହେଉଛି ମନ୍ତ୍ରୀମାନେ ଜାଣିପାରୁ ନାହାନ୍ତି। ‘ଜାନକୀ ବାବୁ ଓ ବସନ୍ତବାବୁ ଯୋଡ଼ି- ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗନେଇ ଏହା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ସୌମ୍ୟରଞ୍ଜନ କହିଛନ୍ତି ବର୍ତ୍ତମାନ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। ସରକାରୀ ନିଷ୍ପତ୍ତି ମନ୍ତ୍ରୀମାନେ ଘୋଷଣା କରୁନଥିବା ବେଳେ ସରକାରରେ ଯାହା କିଛି ହେଉଛି ସେମାନେ ଜାଣିପାରୁ ନାହାନ୍ତି। ରାଜନୀତି ଅଧୋଗତି ଏମିତି ହେଲାଣି ଯେ, ସେହି ମନ୍ତ୍ରୀମାନେ ଅଛନ୍ତି କିପରି ? ବିଜେଡି ବ୍ୟବସ୍ଥା ଭିତରେ ଏପରି ଦେଖି ମୁଁ ଜଣେ ଦୁଇଜଣ କଂଗ୍ରେସରୁ ଆସିଥିବା ମନ୍ତ୍ରୀଙ୍କୁ ପଚାରିଥିଲି। ସେମାନେ କହିଥିଲେ ଆପଣ ଆଜ୍ଞା ଜାଣିନାହାନ୍ତି ଏଇଟା ବଢ଼ିଆ ସିଷ୍ଟମ। ଜାନକୀ ବାବୁ ଥିବାବେଳେ ଜଣେ ବିଧାୟକ ରାତିରେ ଜିଦ୍‌ କଲେ ତା’ପର ଦିନ ଆଇଏଏସ୍‌ ଅଫିସରଙ୍କ ବଦଳି ହୋଇଯାଉଥିଲା। ଏଠି ସେଟା ହୋଇପାରିବନି। ବିଧାୟକମାନେ କିଛି କରିପାରିବେ ନାହିଁ।

ସେହିପରି ବିଜେପିକୁ କଟାକ୍ଷ କରି ସୌମ୍ୟ କହିଛନ୍ତି ରାଜ୍ୟରେ ବିଜେପି ଆଉ ଦଳ ହୋଇ ନାହିଁ। ଓଡ଼ିଶାରେ ବିରୋଧୀ ଆଉ ନାହାନ୍ତି। ବିଜେଡି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ତରରେ ସମର୍ଥନ ଦେଉଛି ତେବେ ରାଜ୍ୟ ବିଜେପି କିଭଳି ଆମ ବିରୋଧରେ କହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button